ବ୍ୟାସକବ ଜୟନ୍ତୀ ଓ ଫକୀରମୋହନ ସାହିତ୍ୟ ପରିଷଦର ରତ୍ନୋତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ରାଜ୍ୟର ଅନ୍ୟତମ ପ୍ରମୁଖ ସାରସ୍ୱତ ଅନୁଷ୍ଠାନ ବାଲେଶ୍ୱରର ‘ଫକୀର ମୋହନ ସାହିତ୍ୟ ପରିଷଦ’ର ୭୫ବର୍ଷ ପର୍ତ୍ତି ଅବସରରେ ୫ ଦିନିଆ ରତ୍ନୋତ୍ସବ ଏବଂ ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ତମ ଜୟନ୍ତୀ ସମାରୋହ ମଲିକାଶପୁରସ୍ଥିତ କବିତୀର୍ଥ ଶାନ୍ତିକାନନ ପରିସରରେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ସଭାରେ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପୌରୋହିତ୍ୟ କରିଥିଲେ । ଫକୀରମୋହନ ପରିଣତ ବୟସରେ ନୁହେଁ, ବରଂ ଜୀବନର ଆଦ୍ୟକାଳରୁ ସାରସ୍ୱତ ସାଧନା କ୍ଷେତ୍ରରେ ପାଦ ଥାପିଥିଲେ ବୋଲି ସେ ମତପ୍ରକାଶ କରିଥିଲେ । ବାଲେଶ୍ୱରର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ବରିଷ୍ଠ ସମାଜସେବୀ ଧୀରେନ୍ଦ୍ର ନାରାୟଣ ଦାସ ପରିଷଦର ପତାକା ଉତ୍ତୋଳନ ସହ ଉତ୍ସବକୁ ଉଦଘାଟନ କରିଥିଲେ । ସାହିତ୍ୟ ଓ ସମାଜ ମଧ୍ୟରେ ନିବିଡ଼ ସଂପର୍କ ଚିରକାଳ ରହିଆସିଛି ବୋଲି ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ସାରସ୍ୱତ ସାଧକ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଫକୀରମୋହନଙ୍କ କାଳୋତ୍ତୀର୍ଣ୍ଣ ସାହିତ୍ୟ ସମକାଳୀନ କୌଣସି ଭାରତୀୟ ସାହିତ୍ୟ ସହ ତୁଳନୀୟ ନୁହେଁ ବୋଲି କହିଥିଲେ । ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ସାରସ୍ୱତ ସାଧକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଫକୀର ମୋହନ ସେନାପତି ତାଙ୍କର ବିପୁଳ ଅନୁଭୂତି, ଅଭିଜ୍ଞତା, ଅନୁଧ୍ୟାନ ଓ ଅଧ୍ୟୟନ ଜରିଆରେ ଶିକ୍ଷା, ଗ୍ରାମୀଣ ଚେତନା ଓ ମୂଲ୍ୟବୋଧର ପ୍ରତିଷ୍ଠା କରିଛନ୍ତି । ଓଡ଼ିଆ ଭାଷାର ବହୁଳ ପ୍ରୟୋଗ ଓ ତାଙ୍କର ପ୍ରତିଟି ସାହିତ୍ୟାକୃତିରେ ତତ୍କାଳୀନ ସାମାଜର ବାସ୍ତବ ପ୍ରତିଛବି ପ୍ରତିଫଳିତ ହେବାଯୋଗୁଁ ତାହା କାଳଜୟୀ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭରତଚନ୍ଦ୍ର ଦାଶ ଓ ବରିଷ୍ଠ ଗବେଷକ ଡ. ଭାଗବତ ପ୍ରସାଦ ଦାସ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫକୀରମୋହନଙ୍କ ଅନତିକ୍ରମଣୀୟ ବ୍ୟକ୍ତିତ୍ୱ ଓ ସାରସ୍ୱତ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ପରିଷଦର ସମ୍ପାଦକ ଦୀପକ ବୋଷ ପ୍ରାରମ୍ଭିକ କଥା ରଖିଥିବା ବେଳେ ଯୁଗ୍ମ ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରର କରିଥିଲେ । ଅଧ୍ୟାପକ ସୁକାନ୍ତ ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣରେ ଗାଳ୍ପିକ ନିବାରଣ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ‘ଫକୀରମୋହନ ଓ ସାମ୍ପ୍ରତିକ ଗଳ୍ପ’ ଶୀର୍ଷକ ଆଲୋଚନା ସଭାରେ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ, ସେନାପତି ପ୍ରଦ୍ୟୁମ୍ନ କେଶରୀ ଓ ଗଙ୍ଗାଧର ବିଶ୍ୱାଳ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଫକୀରମୋହନଙ୍କ କଥା ସାହିତ୍ୟ ବିଭିନ୍ନ ଭାଷାରେ ଅନୁଦିତ ହୋଇ ଏବେ ବି ବିଶ୍ୱ ଦରବାରରେ ଚର୍ଚ୍ଚାର ପରିସରରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଅଧିବେଶନରେ କୋଷାଧ୍ୟକ୍ଷ ତପନ ରାୟ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଗାଳ୍ପିକା ସ୍ମୃତି ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ