ଅଦିନିଆ ବର୍ଷା ପରେ ବିଲରେ ଭାସୁଛି ଧାନ କଳେଇ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଗତ ଜୱାଦ ବାତ୍ୟା ଯୋଗୁ ପାଚିଲା ଧାନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଯାଏଁ କ୍ଷୟକ୍ଷତି ମିଳିପାରିନାହିଁ। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଂଚାୟତର ପ୍ରାୟ ୧୬ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିବା ବେଳେ ଜୱାଦ ବର୍ଷା ଚାଷୀମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଧାନ ଗୁଡିକ ସମ୍ପୂର୍ଣ୍ଣ ଭାବେ ପାଚି ଯାଇଥିବା ବେଳେ ଠିକ ଏହି ସମୟରେ ବର୍ଷା ପାଚିଲା କ୍ଷେତରେ ତାଣ୍ଡବ କରିଥିଲା। ସମ୍ପୂର୍ଣ୍ଣ ପାଚିଲା କ୍ଷେତ ଗୁଡିକ ବର୍ଷା ପାଣିରେ ପ୍ରଭାବିତ ହୋଇଥିବା ବେଳେ ବିଲରୁ ପାଣି ଶୁଖିବାକୁ ଅନେକ ସମୟ ବିଳମ୍ବ ହୋଇଥିଲା। ଫଳରେ ଚାଷୀ ମାନେ ଭାଗ୍ୟକୁ ଆଦରି ପାଣି ବିଲରୁ ପାଚିଲା ଧାନ ଅମଳ କରୁଥିବା ବେଳେ ପୁଣି ଚଳିତ ସପ୍ତାହର ଅଦିନିଆ ବର୍ଷା ସତେଯେମିତି ଚଷାପୁଅ ମୁଣ୍ଡରେ ଚଡକ ପକାଇଦେଇଛି। ପ୍ରଥମ ବର୍ଷାରେ ବିଲରୁ ପାଣି ଶୁଖି ନଥିବା ବେଳେ ଦ୍ୱିତୀୟ ବର୍ଷା ପରେ ଏବେ ବିଲରେ ପାଚିଲା ଧାନ କଳେଇ ଭାସୁଛି। ଏପଟେ ଯେଉଁ ଚାଷୀ ମାନେ ମଣ୍ଡିରେ ଧାନ ଦେବା ପାଇଁ ଟୁକନ ପ୍ରାପ୍ତ ହୋଇସାରିଲେଣି ସେମାନେ ଏବେ ଘୋର ଚିନ୍ତାରେ ପଡିଯାଇଛନ୍ତି। କେଉଁଦିନ ପାଣିରୁ ଧାନ ଅମଳ କରି ମଣ୍ଡିରେ ବିକ୍ରୟ କରିବେ ତାହାକୁ ନେଇ ଦ୍ଵନ୍ଦ ଦେଖାଦେଇଛି। ବିଭିନ୍ନ ଅଂଚଳରେ ଚାଷୀ ମାନେ ବିଲରୁ ଧାନକୁ ଉଠାଇ ହିଡ ଓ ବିଭିନ୍ନ ଗାଁ ରାସ୍ତାରେ ସୁଖାଉଥିବା ଦେଖାଯାଉଛି। ଆହୁରି ମଧ୍ୟ ପ୍ରଥମ ବର୍ଷାର କ୍ଷୟକ୍ଷତି ବାବଦରେ ପ୍ରାୟ ୪ହଜାର ହେକ୍ଟର ଚାଷ ଜମିର ତାଲିକା ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯାଇଥିଲେ ସୁଦ୍ଧା ଏଯାଏଁ କୌଣସି ଚାଷୀ କ୍ଷୟକ୍ଷତି ପାଇପାରିନାହାନ୍ତି। ତେଣୁ ପ୍ରଶାସନ ଧାନ ବିକ୍ରୟ ଓ କ୍ଷୟକ୍ଷତି ଆକଳନ ଉପରେ ଯଥାଶୀଘ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ