ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୫୦ ହିତାଧିକାରୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୫୦ ରୁ ଅଧିକ ବୃଦ୍ଧବୃଦ୍ଧାଙ୍କୁ ୫ ମାସ ହେଲା ସେମାନଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁନାହିଁ । ସେମାନଙ୍କ ମାସିକ ଭତ୍ତା ଟଙ୍କା ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଯିବା ନିମନ୍ତେ ଗତ ୬ ମାସ ପୂର୍ବରୁ ଆରମ୍ଭ ହୋଇଥିଲା । ସେହି ମାସଠାରୁ ହିଁ ସେମାନଙ୍କ ଭତ୍ତା ଟଙ୍କା ମିଳୁନାହିଁ । ଏସଂପର୍କରେ ବାରମ୍ବାର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ସେମାନଙ୍କ ସମସ୍ୟାକୁ କର୍ଣ୍ଣପାତ କରାଯାଉ ନାହିଁ । ଆଜି ବାଧ୍ୟ ହୋଇ ସାନ ଆର୍ଯ୍ୟପଲ୍ଲୀ, କତୁରୁ, ବଡଆର୍ଯ୍ୟପଲ୍ଲୀ ଓ କଣ୍ଡରା ଆର୍ଯ୍ୟପଲ୍ଲୀର ୫୦ ରୁ ଅଧିକ ହିତାଧିକାରୀ ଏଭଳି ଅଭିଯୋଗ ନେଇ ପୁଣି ଥରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସାକ୍ଷତ କରି ବି. ଆପେୟା, ଜେ. ଲକ୍ଷ୍ମୀ, ପି. କାମେଶ୍ୱରୀ, ଏସ୍. କାନ୍ତାମ୍ମା, ଇନ୍ଦୁମତି ସାହୁ, ଏ. ସତ୍ୟମଙ୍କ ସମେତ ବହୁ ହିତାଧିକାରୀ ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସାକ୍ଷାତ ବେଳେ ପି. ରାମବାବୁ, କେ. ଦାଶରଥି, ଓଡି କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭିକାରିପଲ୍ଲୀ ପଂଚାୟତ ଅନ୍ତର୍ଗତ ଦନେଇ ବ୍ରହ୍ମପୁର ଗ୍ରାମର ରଘୁନାଥ ବେହେରା ମଧ୍ୟ ତାଙ୍କ ଭତ୍ତା ଟଙ୍କା ନ ମିଳିଥିବାରୁ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟି ଗୁହାରି କରିଛନ୍ତି ।