କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଅତୁଳନୀୟ…
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ୨୬୨ତମ ଓ କବି ସମ୍ରାଟ ଉପେନ୍ଦ୍ର ଭଙ୍କ୨୮୨ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓଡ଼ିଆ ଭାଷା ସାହିତ୍ୟି ଓ ସଂସ୍କୃତି ବିଭାଗ ପକ୍ଷରୁ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତ ରଖିଥିଲେ ଯେ, ଓଡ଼ିଆ ଜାତିର ସର୍ବକାଳୀନ, ବନ୍ଦନୀୟ ସ୍ମରଣୀୟ ବ୍ୟକ୍ତିତ୍ୱ କାଳଜୟୀ ସ୍ରଷ୍ଟା ଉପେନ୍ଦ୍ର ଭଞ୍ଜ ଓ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚନା ଓଡ଼ିଆ କାବ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିବା ସହିତ ତାଙ୍କ ଅମର ରଚନା ଲାବଣ୍ୟବତୀ, ବୈଦେହୀଶ ବିଳାସ ମାଧ୍ୟମରେ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ବିଦଗ୍ଧ କବିଙ୍କ ରଚନା ପ୍ରେମ ଚିନ୍ତାମଣି, ରାଧାକୃଷ୍ଣ ପ୍ରେମଲୀଳା ପ୍ରମୁଖ ତାଙ୍କର ଅକଳ୍ପନୀୟ ରଚନା ଭାବେ ସ୍ୱୀକୃତି ଲାଭ କରିଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଶାସକ ଦଳର ବିଧାୟକ ଅମରପ୍ରସାଦ ଶତପଥୀ ଯୋଗଦେଇ ଦୁଇ ମହାନ ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହିତ ସାହିତ୍ୟକୁ ତାଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ପୂଜ୍ୟପୂଜା ପ୍ରାଣ ସ୍ୱର୍ଗତଃ ଗୋବିନ୍ଦ ମାହୁନ୍ତଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ସଦ୍ୟତମ ସୃଷ୍ଟି ମହାକାଳ ଓ ଓଡ଼ିଆ ଦିନ ପଞ୍ଜିକାକୁ ଲୋକାର୍ପିତ କରାଯାଇଥିଲା । ସ୍ମୃତିଚାରଣ ସଭାରେ ସାରସ୍ୱତ ପ୍ରତିଭାଧାରୀ ଖଡୁ ଚରଣ ବିଶ୍ୱାଳ ଓ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟଙ୍କୁ ବିଦଗ୍ଧ କବି ଅଭିମନ୍ୟୁ ସ୍ମୃତି ସମ୍ମାନ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ପୂଜ୍ୟପୂଜା ପ୍ରାଣ ତଥା ସରକାରଙ୍କ ଅନୁସଚିବ ଲକ୍ଷ୍ମୀଧର ବେହେରା, ଉମାନାଥ ମିଶ୍ର, ନରେନ ସାହୁ, ପ୍ରକାଶ ତ୍ରିପାଠୀ, ପ୍ରମୋଦ ମହାପାତ୍ର, ନଗେନ ସାହୁ, ଦେବାଶିଷ ପରିଡ଼ା, ସତ୍ୟବ୍ରତ ମାହୁନ୍ତ ପ୍ରମୁଖ ଉପସ୍ଥିତ ରହିବା ସହିତ ଡ. ଅସିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।