ସ୍ୱାମୀ ପ୍ରଣବାନନ୍ଦଙ୍କ ୪ର୍ଥ ଦିବସରେ ଶାନ୍ତି ଯଜ୍ଞ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶାର ପୁରପଲ୍ଲୀରେ ଦୀର୍ଘ ୭୦ ବର୍ଷ ଧରି ବୈଦିକ ଧର୍ମ, ବେଦ ଓ ଆର୍ଯ୍ୟସମାଜର ତପୋନିଷ୍ଠ ପରିବ୍ରାଜକ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ବିୟୋଗରେ ଆଜି ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଏକ ଶାନ୍ତି ଯଜ୍ଞ ଓ ଆଭାସୀ ଶ୍ରଦ୍ଧାଞ୍ଜଳି ସଭା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଶାନ୍ତିଯଜ୍ଞ ପରେ, ଶୋକ ପ୍ରସ୍ତାବ ଆଗତ କରି ବରିଷ୍ଠ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଅନୁଗୁଳ ଜିଲ୍ଲାର ଏକ ପଲ୍ଲୀଗ୍ରାମରୁ ଆସି ସ୍ୱାମିଜୀ ତାଙ୍କ ଜୀବନକାଳ ମଧ୍ୟରେ ଅନ୍ୟୁନ ଏକ ହଜାର ପରିବାରକୁ ଆର୍ଯ୍ୟସମାଜ ମନ୍ତ୍ରରେ କେବଳ ଦିକ୍ଷିତ କରିନାହାଁନ୍ତି, ସମାଜ ସଂସ୍କାର ପାଇଁ ମୂଳଦୁଆ ପକାଇ ଯାଇଛନ୍ତି । ସାଧାରଣ ଗ୍ରାମୀଣ ଜନତାକୁ ବୈଦିକ ବିଚାରକୁ ବୁଝାଇବାର ଏକ ଅଭିନବ କୌଶଳ ପରମାତ୍ମା ତାଙ୍କୁ ଦେଇଥିଲେ । ନିଗମ କଳ୍ପତରୁ ଆଶ୍ରମର ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସ୍ୱାମିଜୀଙ୍କୁ ଜଣେ ବ୍ରହ୍ମଦର୍ଶୀ ସନ୍ଥ ବୋଲି ବର୍ଣ୍ଣନା କରିଥିଲେ । ଶିବାନନ୍ଦ ଆଶ୍ରମର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସ୍ୱାମିଜୀଙ୍କୁ ଜଣେ ନିରହଂକାରୀ ବ୍ୟକ୍ତିତ୍ୱ ବୋଲି କହିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ସ୍ୱାମିଜୀ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳକୁ ଗସ୍ତକରି ସାଧାରଣ ଜନତାଙ୍କ ସୁଖଦୁଃଖରେ ସାମିଲ ହେବା ସହ ସଦାଚାରୀ ହେବା ପାଇଁ ଉପଦେଶ ଦେଉଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧ ମନ୍ଦିରର ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପୂର୍ବତନ ଡିନ୍ ଡଃ ବୁଦ୍ଧଦେବ ମିଶ୍ର ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଜଣାଇବା ସହ ୮୯ବର୍ଷର ଜୀବନକାଳ ଉପରେ ଏକ ପୁସ୍ତକ ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଗୁରୁକୂଳ ବେଦବ୍ୟାସ ପକ୍ଷରୁ ରାମଚନ୍ଦ୍ର ସାହୁ, ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ଅଧ୍ୟାପକ ଉମାକାନ୍ତ ପଣ୍ଡା, ବାନପ୍ରସ୍ତି ରାଜକିଶୋର ହୋତା ଓ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ବୁଦ୍ଧେଶ୍ୱର ଷଡ଼ଙ୍ଗୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ