ଆନ୍ଦୋଳନ କରିବେ ଆଇନଜୀବୀ ଓ ମୋହରିର, ଟାଇପିଷ୍ଟ, ଷ୍ଟାମ୍ପଭେଣ୍ଡର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗତ ୨ମାସରୁ ଊର୍ଦ୍ଧ୍ୱ ସମୟ ଧରି ଭୁବନେଶ୍ୱର ସବ୍ରେଜିଷ୍ଟ୍ରାର ଅଫିସ ପାର୍ଟ ପ୍ଲଟ୍ ବିକ୍ରି ଉପରେ ରୋକ ଲାଗିବାରୁ ଭୁବନେଶ୍ୱର କୋର୍ଟରେ ଉତେଜନା ଦେଖା ଦେଇଛି । ଜମି ମାଲିକମାନଙ୍କ ଅର୍ଥର ଜରୁରୀ ଆବଶ୍ୟକତା ପାଇଁ ଜମି ମଧ୍ୟ ବିକ୍ରି କରିପାରୁନଥିବା ବେଳେ ଆଇନଜୀବୀ ଓ ମୋହରିର, ଟାଇପିଷ୍ଟ ଏବଂ ଭେଣ୍ଡରମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଆନ୍ଦୋଳନ କରିବାକୁ ମିଳିତ ଚେତାବନୀ ଦେଉଛନ୍ତି । ଏନେଇ ଲୟର୍ସ ଗୃପର ବରିଷ୍ଠ ଆଇନଜୀବୀ ଲିଙ୍ଗରାଜ ଦାଶ କହିଛନ୍ତି ଯେ, ବ୍ୟକ୍ତିଗତ ଜମି କିଣା ବିକା କ୍ଷେତ୍ରରେ ଏଭଳି କିଛି ଆଇନ ନଥିଲା ବେଳେ ଡିଏସ୍ଆର ପାର୍ଟ ଫ୍ଲଟ୍ ବିକ୍ରି ବନ୍ଦ କରିଛନ୍ତି । ଯାହାଫଳରେ ସାଧାରଣ ଲୋକ ହଇରାଣ ହେବା ସହିତ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱହାନୀ ଘଟୁଛି । ଅନୁସନ୍ଧାନରୁ ଜଣଶ ପଡ଼ିଥିଲା ପୁରୁଣା ଭୁବନେଶ୍ୱର ଅଂଚଳର ପ୍ରତାପ କୁମାର ରାଉତ ନାମକ ଜଣେ ବ୍ୟକ୍ତି ରେରା ଆଇନ କଡାକଡି ପାଳନ କରିବାକୁ ଦାବିକରି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦେଇଥିଲେ । ଏହାକୁ ଆଧାର କରି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡିଏସ୍ଆରଙ୍କୁ ମୌଖିକ ଭାବେ ପାର୍ଟ ପ୍ଲଟ୍ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥଲେ । ଆଇନଜୀବୀଙ୍କ ଅଭିଯୋଗ ଅନୁଯାୟୀ ରେରା ଏବଂ ଓଡିଏ ନିୟମରେ ଏଭଳି କିଛିନାହିଁ । ରେରା କେବଳ ବିଲ୍ଡର, ଡେଭ୍ଲପର ଓ ପ୍ରମୋଟରମାନଙ୍କ ପାଇଁ ଏଭଳି କଡା ନିୟମ କରିଥାନ୍ତି । ଏହା ଯୋଗୁଁ ସାଧାରଣ ଚାଷି ନଜ ଜମି ବିକ୍ରି କରିପାରୁ ନାହିଁ । ରେରା ନିୟମକୁ ଆଳ କରି ଡିଏସ୍ଆର ପାର୍ଟ ପ୍ଲଟ୍ ବିକ୍ରି ଉପରେ ରୋକ୍ ଲଗାଇବାର କୌଣସି ଯଥାର୍ଥତା ନାହିଁ । ଭୁବନେଶ୍ୱରରେ ଏହି ଘଟଣାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା ବେଳେ ପାର୍ଟ ପ୍ଲଟ୍ ବିକ୍ରି ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଆଇନଜୀବୀ, ମୋହରିର, ଟାଇପିଷ୍ଟ ଏବଂ ଭେଣ୍ଡରମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଭୁବନେଶ୍ୱରର ୨ଶହରୁ ଊର୍ଦ୍ଧ୍ୱ ଆଇନଜୀବୀ ଡିଏସ୍ଆରଙ୍କ ଏତାଦୃଶ କାର୍ଯ୍ୟକୁ ବିରୋଧ କରି ରାଜସ୍ୱ ସଚିବ, ଆଇଜିଆର, ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଓ ଡିଏସ୍ଆର ନିକଟରେ ଅଭିଯୋଗପତ୍ର କରିଛନ୍ତି । ଏପରି ସମସ୍ୟା ନସୁଧୁରିଲେ ଆଗାମୀ ଦିନରେ ଆଇନଜୀବୀମାନେ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ କରିବେ ବୋଲି ଆଇନଜୀବୀ ଲିଙ୍ଗରାଜ ଦାଶ, ବିଶ୍ୱମ୍ବର ଦାଶ, ମନୋଜ ବଳିଆରସିଂ, ଅକ୍ଷୟ କୁମାର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି ।


