କେନ୍ଦ୍ରୀୟ ବଜେଟ ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଫେବୃୟାରୀ ୧ ତାରିଖ ଦିନ ଦେଶର ଅର୍ଥମନ୍ତ୍ରୀ କେନ୍ଦ୍ରୀୟ ବଜେଟ ୨୦୨୨-୨୩ ସଂସଦରେ ଆଗତ କରିଛନ୍ତି । ଏହି ବଜେଟ ଦେଶର ପ୍ରାୟ ୩୫କୋଟି ଦଳିତ ଆଦିବାସୀଙ୍କ ପାଇଁ ନୈରାଶ୍ୟଜନକ ଓ ଏହି ବର୍ଗ ପାଇଁ ଉଦ୍ଦିଷ୍ଟ ବିକାଶ ନୀତିର ପରିପନ୍ଥୀ ଏବଂ ସେଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାରମଞ୍ଚ ପକ୍ଷରୁ କୁହାଯାଇଛି । ସଂସଦରେ ଆଲୋଚନା କାଳରେ ଏଥିରେ ଯଥାଯଥ ସଂଶୋଧନ କରିବାକୁ ୯ ଦଫା ପ୍ରସ୍ତାବ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ‘ଏନ୍‌ସିଡ଼ିଏଚ୍‌ଆର ଓ ଦଳିତ ଆର୍ଥିକ ଅଧିକାର ଆନ୍ଦୋଳନ’ ପକ୍ଷରୁ କରାଯାଇଥିବା ‘ଦଳିତ ଆଦିବାସୀ ବଜେଟ ବିଶ୍ଲେଷଣ ରିପୋର୍ଟ-୨୦୨୨’କୁ ଲୋକାର୍ପଣ କରାଯାଇ ଚଳିତବର୍ଷ ବଜେଟରେ ରହିଥିବା ଅସଙ୍ଗତିଗୁଡ଼ିକ ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା । ପ୍ରାଥମିକସ୍ତରରେ ମୋଟ ସରକାରୀ ଖର୍ଚ୍ଚ ୩୯.୪୪ ଲକ୍ଷ କୋଟି ଟଙ୍କା ଦର୍ଶାଯାଇଥିଲା ବେଳେ ବିଭିନ୍ନ ପବ୍ଲିକ ଏଣ୍ଟରପ୍ରାଇଜରେ ୪.୬୯ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଦଳିତ ଓ ଆଦିବାସୀବର୍ଗଙ୍କ ତ୍ୱରିତ ବିକାଶ ପାଇଁ ଅଭିପ୍ରେତ ଅନୁସୂଚିତ ଜାତି ମଙ୍ଗଳ ଆବଣ୍ଟନ ଓ ଅନୁସୂଚିତ ଜନଜାତି ମଙ୍ଗଳ ଆବଣ୍ଟନ ଯଥାକ୍ରମେ ୧,୪୨,୩୪୨ କୋଟି ଓ ୮୯,୨୬୫ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ଏହି ବଜେଟରେ ଆଗତ କରାଯାଇଛି । ସାମଗ୍ରିକ ଭାବରେ ଦଳିତ ଆଦିବାସୀ ବଜେଟ ଗତବର୍ଷ ତୁଳନାରେ ମୋଟ ୨୫,୪୦୬ କୋଟି ଟଙ୍କା ବୃଦ୍ଧି ଘଟିଥିଲା ବେଳେ ବ୍ୟୟବରାଦ କରାଯାଇଥିବା ଅର୍ଥର ୬୨% ଓ ୫୧% ଅର୍ଥ ଯଥାକ୍ରମେ ଏସ୍‌.ସି. ଓ ଏସ୍‌.ଟିମାନଙ୍କର ସିଧାସଳଖ ବିକାଶ ପାଇଁ ଉପଯୋଗୀ ନହୋଇ ସାଧାରଣ ସ୍କିମ୍‌ଗୁଡ଼ିକରେ ବିନିଯୋଗ ହେବାର ପ୍ରସ୍ତାବ ଏହି ଦୁଇବର୍ଗ ମଧ୍ୟରେ ନିରାଶା ସୃଷ୍ଟି କରିଛି । ନୀତି ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏସ୍‌.ସି. ଓ ଏସ୍‌.ଟିମାନଙ୍କ ପାଇଁ ଯେତିକି ପରିମାଣର ବ୍ୟୟବରାଦ କରାଯିବା କଥା, ସେଥିରୁ ଯଥାକ୍ରମେ ୪୦,୬୩୪ କୋଟି ଟଙ୍କା ଓ ୯,୩୯୯ କୋଟି ଟଙ୍କା କମ୍ ଅର୍ଥର ପ୍ରସ୍ତାବ ଚଳିତବର୍ଷ ବଜେଟରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୫ବର୍ଷ ମଧ୍ୟରେ ଏହି ଗାଇଡ଼ଲାଇନ ଅନୁଯାୟୀ ଏସ.ସି.ମାନଙ୍କ ଆବଣ୍ଟନରୁ ୨,୫୨,୧୮୧କୋଟି ଟଙ୍କା ଓ ଏସ୍‌.ଟି. ଆବଣ୍ଟନରୁ ୮୯,୯୭୨ କୋଟି ଟଙ୍କା କମ୍ ଅର୍ଥ ବଜେଟରେ ବ୍ୟବସ୍ଥା କରାଯାଇଛି । ଗତବର୍ଷର କୋଭିଡ଼ ମହାମାରୀରେ ଭୟଙ୍କର ଭାବରେ ପ୍ରଭାବିତ ହୋଇଥିବା ଦଳିତ ଆଦିବାସୀବର୍ଗଙ୍କ ମହାମାରୀ ଜନିତ ପ୍ରଭାବ ପ୍ରଶମିତ କରିବା ପାଇଁ କୌଣସି ଗୋଟିଏ ନୂତନ ଯୋଜନା ଘୋଷଣା ବା ପ୍ରସ୍ତାବନା କରାଯାଇ ନାହିଁ; ଅପରପକ୍ଷରେ ସଫେଇ କର୍ମଚାରୀମାନଙ୍କ ଆତ୍ମନିଯୁକ୍ତି ଓ ଥଇଥାନ ପାଇଁ ଗତବର୍ଷ ୧୦୦କୋଟି ଟଙ୍କା ରହିଥିଲା ବେଳେ ଚଳିତବର୍ଷ ୭୦କୋଟି ଟଙ୍କାକୁ ହ୍ରାସ କରାଯାଇଛି ଏବଂ ସଫେଇ କର୍ମଚାରୀ ଉନ୍ନୟନ ଅର୍ଥ ନିଗମ ବାବଦକୁ ଗତବର୍ଷ ୫୦କୋଟି ଟଙ୍କାରୁ ୨୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି । ପ୍ରକାଶଯୋଗ୍ୟ ଯେ, ୨୦୨୧ ମସିହା ଅଗଷ୍ଟମାସ ସୁଦ୍ଧା ୯୪୧ଜଣ ବ୍ୟକ୍ତି ସ୍ୱରେଜ ସଫେଇ ସମୟରେ ମୃତ୍ୟୁବରଣ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବରାଦ ଦର୍ଶାଯାଇଥିଲା ବେଳେ ସେଥିରୁ ୪୮୨୦ କୋଟି ଟଙ୍କା ଏସ୍‌.ସି, ଏସ୍‌.ଟି ଛାତ୍ରଛାତ୍ରୀଙ୍କ ସିଧାସଳଖ ବିକାଶ ଦିଗରେ ବିନିଯୋଗ ହେବନାହିଁ କିନ୍ତୁ ତାହା ଏସ୍‌.ସି ଓ ଏସ୍‌.ଟି ମଙ୍ଗଳ ଆବଣ୍ଟନରେ ଦର୍ଶାଯାଇଛି । ଏସ୍‌.ସି., ଏସ୍‌.ଟି ଛାତ୍ରଛାତ୍ରୀଙ୍କ ବିଦେଶରେ ଶିକ୍ଷା ପାଇଁ ୩୬କୋଟି, ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ୩୬କୋଟି, ଜାତୀୟ ମେରିଟ ସ୍କଲାରସିପ୍ ପାଇଁ ୬୬କୋଟି ଓ କଲେଜ ତଥା ବିଶ୍ୱବିଦ୍ୟାଳୟ ସ୍କଲାରସିପ୍ ପାଇଁ ୩୦କୋଟି ଟଙ୍କା ପ୍ରସ୍ତାବ ରହିଥିଲା ବେଳେ ଏସ୍‌.ଟି ଛାତ୍ରଛାତ୍ରୀଙ୍କ ପାଇଁ ଯଥାକ୍ରମେ ୪ କୋଟି ଟଙ୍କା, ୧୭ କୋଟି ଟଙ୍କା, ୩୬ କୋଟି ଓ ୨୦ କୋଟି ଟଙ୍କାର ବ୍ୟୟବରାଦ ଏହି ବର୍ଗର ତ୍ୱରିତ ବିନାଶ ସାଧିତ ହେବା ନେଇ ଆଶଙ୍କା ସୃଷ୍ଟି କରିଛି ।
ବିଚାରମଞ୍ଚର ସଭାପତି ସଂଗ୍ରାମ ମଲିକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଦଳିତ ଆଦିବାସୀବର୍ଗର ବିଭିନ୍ନ ସଂଗଠନ ଓ ନେତୃତ୍ୱମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ହାବଡ଼ା, ଅଭିରାମ ମଲ୍ଲିକ, ଲକ୍ଷ୍ମୀଧର ବେହେରା, ହଳଧର ସେଠୀ, ନନ୍ଦିନୀ ନାଏକ, ତପନ ନାଏକ, ସୁନାକର ବେହେରା, ଅଭିମନ୍ୟୁ ସେଠୀ, ଅରବିନ୍ଦ ମଲ୍ଲିକ, ମଧୁସ୍ମିତା ବେହେରା, ସଞ୍ଜୟ ମଲିକ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ