ବିବାହ ଉତ୍ସବରେ ଆକ୍ରମଣ : କାତି ଚୋଟରେ ଯୁବକ ଗରୁତର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଗଡଗୋବିନ୍ଦପୁର ଗ୍ରାମରେ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ସାମାନ୍ୟ କଥାକୁ ନେଇ ଜଣେ ଯୁବକକୁ କାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଯୁବକର ମୁଣ୍ଡ ଫାଟି ଘଟଣା ସ୍ଥଳରେ ଗରୁତର ହୋଇଯାଇଥିଲେ। ସମ୍ପର୍କିୟ ଲୋକଙ୍କ ସହାୟତାରେ ଗୁରୁତରକୁ ଉଦ୍ଧାରକରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ । ଗୁରୁତର ଯୁବକ ଜଣକ ହେଲେ ଜରଡା ଥାନା ଅନ୍ତର୍ଗତ ନନ୍ଦିଗାଁର ବି.ହୀନ ରାଓ ବୋଲି ଜଣାପଡିଛି । ହୀନ ତାଙ୍କ ଶାଳିର ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଗତ ଶୁକ୍ରବାର ଦିନ ନୂଆଗାଁ ଗ୍ରାମକୁ ଯାଇଥିଲେ । ଶନିବାର ଦିନ ଝିଅ ଛାଡିବାପାଇଁ ଗଡଗୋବିନ୍ଦପୁର ଗ୍ରାମକୁ ଯାଇଥିଲେ । ଏକ ବିବାହ ଶୋଭାଯାତ୍ରାରେ ସାମିଲ ହୋଇ ଯାଉଥିବା ବେଳେ ସାମାନ୍ୟ କଥାକୁ ନେଇ ଗ୍ରାମର କେ.ମୋହନ ରାଓଙ୍କ ସହ କଥା କଟାକଟି ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ମୋହନ ରାଓ ଏକ କାତି ଆଣି ହୀନର ମୁଣ୍ଡକୁ ଆକ୍ରମଣ କରିଥିଲା । ଏନେଇ ହୀନଙ୍କ ସମ୍ପର୍କିୟ ଲୋକେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରକରି ପୋଲିସ ଥାନା କେସ୍ ନଂ-୫୫/୨୨ ଅନୁଯାୟୀ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମୋହନ ରାଓଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟ ଚଲାଣ କରିଛନ୍ତି । କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠେଇ ଦିଆଯାଇଛି ବୋଲି ଥାନା ଆଇ.ଆଇ.ସି ମୃତ୍ୟୁଞ୍ଜୟ ସ୍ୱାଇଁ ସୁଚନା ଦେଇଛନ୍ତି ।


