ଷ୍ଟ୍ରଙ୍ଗ ରୁମର ସୁରକ୍ଷା ନେଇ ପ୍ରଶ୍ନବାଚୀ : ନିର୍ବାଚନ ଆୟୋଗଙ୍କୁ ବିଜେପିର ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ହୋଇଥିବା ଷ୍ଟ୍ରଙ୍ଗରୁମର ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି । ଷ୍ଟ୍ରଙ୍ଗରୁମରେ ସିସିଟିଭି କ୍ୟାମେରା ଲାଗିଛି ଓ ବାହାରେ ଶସସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେବି ଷ୍ଟ୍ରଙ୍ଗରୁମ ବାହାରେ ବାଲାଟ ପେପର ପୋଡାଯିବା ଓ ଚିରାଯିବା ଘଟଣାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଛି । ଏହି ଘଟଣାକୁ ନେଇ ଷ୍ଟ୍ରଙ୍ଗରୁମ ବାହାରେ ଶୁକ୍ରବାର ସକାଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କେତେକ ରାଜନୈତିକ ଦଳର ନେତା ଓ କର୍ମୀମାନେ ଏକଜୁଟ୍ ହୋଇ ହୋହଲ୍ଲା କରିଥିଲେ । ସେଠାରେ ଯେଉଁ ବାଲାଟ ପେପର ପଡିଥିଲା ତାହା କଂସାର ଓ କପାଳେଶ୍ୱର ଗ୍ରାମପଞ୍ଚାୟତରେ ହୋଇଥିବା ମତଦାନର ବାଲାଟ ପେପର ବୋଲି ଅଭିଯୋଗ ହୋଇଛି । କଂସାର ପଞ୍ଚାୟତ ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ମହାସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଘଟଣା ସ୍ଥଳରେ ତାଙ୍କ ସମର୍ଥକଙ୍କ ସହ ପହଞ୍ଚି ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ଚଳିତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିରୋଧୀ ସରପଞ୍ଚ ପ୍ରାର୍ଥୀ ହାରିଯିବା ଭୟରେ ଏଭଳି କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଦଳର ସମର୍ଥନରେ ସେ ୨୦୧୭ମସିହାରେ ନିର୍ବାଚନ ଜିତିଥିଲେ । ତେଣୁ ଶାସକ ଦଳର ପ୍ରାର୍ଥୀ ହାରିଯିବା ଭୟରେ ଏଭଳି କାଣ୍ଡ ଘଟାଇ ଥାଇ ପାରନ୍ତି । ଉତ୍ତେଜନା ଖବର ପାଇ ଘଟଣାସ୍ଥଳକୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆ ଓ କେନ୍ଦ୍ରାପଡ଼ା ତହସିଲଦାର ହେମଲତା ବାହାଲିଆ ପ୍ରମୁଖ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି ରାତି ସାରା ପୋଲିସ ଫୋର୍ସ ଜଗି ରହିଥିଲେ । ଏଥିସହ ବିଭିନ୍ନ ରାଜନୈତିକ ଦଳର ଏଜେଣ୍ଟମାନେ ମଧ୍ୟ ଷ୍ଟ୍ରଙ୍ଗରୁମ ବାହାରେ ଥିଲେ । ତେଣୁ କିପରି ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ । ତଦନ୍ତ ପରେ ଯେଉଁ ବ୍ୟକ୍ତି ଏଭଳି କାଣ୍ଡ କରିଥିବାର ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣାର ତଦନ୍ତ କରିବାକୁ କେନ୍ଦ୍ରାପଡା ବିଡିଓ ଏବଂ ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅପରପକ୍ଷରେ ଏହି ଘଟଣାକୁ ବିଜେପି ଦୃଢ ନିନ୍ଦା କରିଛି । ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ସାକ୍ଷାତ କରି ଷ୍ଟ୍ରଙ୍ଗରୁମର ସୁରକ୍ଷା ଦାବି କରିଛନ୍ତି । ଏଥିସହ ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବିଜେପି ଏହି ସ୍ମାରକପତ୍ରରେ ଉଲ୍ଲେଖ କରିଛି ଯେ ଯେଉଁ ବାଲାଟ ପେପର ଷ୍ଟ୍ରଙ୍ଗରୁମ ବାହାରେ ପଡିଥିଲା ସେଗୁଡିକ ଅସଲି ବାଲାଟ ପେପର । ଗତ ରାତିରେ ଷ୍ଟ୍ରଙ୍ଗରୁମରେ ଲୁଚାଣିଆ ଭାବେ କିଛି କାରସାଦି କରାଯାଇଥିବା ବିଜେପି ଅଭିଯୋଗ କରିଛି । ଢିଲା ସୁରକ୍ଷା ବ୍ୟବସ୍ଥା ଏଥିପାଇଁ ଦାୟୀ ବୋଲି ବିଜେପି କହିଛି । କେବଳ ସେତିକି ନୁହେଁ ଜିଲ୍ଲା ପ୍ରଶାସନ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛି । ତେଣୁ ଶାସକ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବାଲାଟ ବାକ୍ସରୁ ବାଲାଟ ପେପର ବଦଳାଇଥିବା ସନ୍ଦେହକୁ ଅଧିକ ଦୃଢିଭୁତ କରୁଛି ବୋଲି ବିଜେପି ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ ଋତୁରାଜ କହିଛନ୍ତି ଷ୍ଟ୍ରଙ୍ଗରୁମ ସୁରକ୍ଷା ମଧ୍ୟରେ ରହିଛି । କେହି ଅସାଧୁ ବ୍ୟକ୍ତି ଏଭଳି କରିଥାଇ ପାରନ୍ତି । ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦେଶ ଦିଆଯାଇଛି । ୨୬, ୨୭ ଓ ୨୮ତାରିଖରେ ଯେଉଁ ଭୋଟ ଗଣତି ହେବ ତାହାର ଲାଇଭ ଷ୍ଟ୍ରିମିଂ ଭୋଟ ଗଣନା କେନ୍ଦ୍ର ବାହାରେ ପରଦା ମାଧ୍ୟମରେ ପ୍ରଦର୍ଶନ କରାଯିବ । ଏହି ଘଟଣା ଉପରେ ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ହଳଧର ସେଠୀ କହିଛନ୍ତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାରେ କେନ୍ଦ୍ରାପଡ଼ା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେଉଁଭଳି ଭାବେ ହିଂସା, ବୁଥ ଦଖଲ ଏବଂ ଭୋଟ ବାକ୍ସ ସିଲ ହେବାପରେ ତାକୁ ପୁନର୍ବାର ଖୋଲି ଶାସକ ଦଳର ନେତାମାନେ ବାଲଟ ପେପର ବଦଳାଇବା ଘଟଣା ଭାରତ ବର୍ଷର ନିର୍ବାଚନ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ । ଏଥିରୁ ପ୍ରମାଣିତ ହେଉଛି ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅଯୋଗ୍ୟ ବୋଲି ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ