ଭୋଟ ଗଣନାରେ ଚଞ୍ଚକତା : ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ଅଭିଯୋଗ
ଯୋଡା, (ସମୀର କୁମାର ଦାସ) :-ଯୋଡା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ଗ୍ରାମ ପଞ୍ଚାୟତର ଭୋଟ ଗଣତିରେ ଚଞ୍ଚକତା କରାଯାଇ ଜଣେ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ଭଦ୍ରାସାହି ପଞ୍ଚାୟତର ସରପଞ୍ଚପ୍ରାର୍ଥୀ ଭାବେ ୬ଜଣ ଆଶାୟୀ ପ୍ରାର୍ଥୀ ଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ ଓ ବାସନ୍ତୀ ନାଏକଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ୧୪ଟି ଓା୍ୱର୍ଡ ର ଗଣତି ସମୟରେ ୧ରୁ ୭ନଂ ପର୍ଯ୍ୟନ୍ତ ଠିକ୍ ଗଣତି ଚାଲିଥିବାବେଳେ ୭ରୁ ୧୪ ଗଣତି ସମୟରେ କ୍ରମାନ୍ୱୟରେ ଗଣତି କରାନଯାଇ ୭ ପରେ ୯, ୯ ପରେ ୮, ୮ପରେ ୧୧, ୧୧ ପରେ ୧୦ ଏହି କ୍ରମରେ ଗଣତି କରାଯାଇ ହେରଫେର କରାଯାଇଥିବା ଅଭିଯୋଗ ହୋଇଛି । ତଥାପି ଗଣତି ଶେଷରେ ବାସନ୍ତୀ ନାଏକ ୧୧୧୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ପ୍ରମିଳା ନାଏକ ୧୧୦୬ଖଣ୍ଡ ଭୋଟ ପାଇଥିବା ଘୋଷଣା କରାଯାଇଥିଲା । ଫଳରେ ବାସନ୍ତୀ ୧୩ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିବା ଜଣାଥିଲା । ପରବର୍ତ୍ତି ସମୟରେ ବଡବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ଭୋଟ ଗଣତି କେନ୍ଦ୍ରଭିତରକୁ ପ୍ରବେଶ କରିଥିଲେ ଓ ପରେ ବାସନ୍ତୀ ୧୦୬୦ଖଣ୍ଡ ଭୋଟ ପାଇଥିବାବେଳେ ପ୍ରମିଳା ୧୦୬୫ ଖଣ୍ଡ ଭୋଟ ପାଇ ୫ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିବା ଘୋଷଣା କରାଯାଇଥିଲା । ଏହାକୁ ନେଇ ବାସନ୍ତୀ ନିର୍ବାଚନ ଅଧିକାରୀ ତଥା ବିଡିଓ ଜଗନ୍ନାଥ ହନୁମାନଙ୍କୁ ଭୋଟ ପୁନଃ ଗଣତି ଓ ନାକଚ ଯାଞ୍ଚପାଇଁ ଲିଖିତ ଅଭିଯୋଗ କରିଥିଲେ । ଏହି ସମୟରେ ଏକ ଫୋନ ଆସିଥିଲା ଓ ସେ ତାଙ୍କ ଅଭିଯୋଗ ପତ୍ରଟିକୁ ଗ୍ରହଣ ନକରି, ପୁନଃ ଗଣତିକୁ ଅଗ୍ରାହ୍ୟକରି ଫେରାଇଦେଇଥିବା ବାସନ୍ତୀ ଅଭିଯୋଗ କରିଛନ୍ତି । ଏନେଇ ସେ ଓ ତାଙ୍କର ସମର୍ଥକମାନେ ଉପଜିଲାପାଳଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେମଧ୍ୟ ଭେଟି ପାରିନଥିଲେ । ୨୬ ତାରିଖ ବିଳମ୍ବିତ ରାତ୍ରୀରେ ୨୬ନଂ ଜୋନର ୩ଟି ପଞ୍ଚାୟତର ବିଜୟ ସରପଞ୍ଚ ପ୍ରାର୍ଥୀଙ୍କ ଫଳାଫଳ ସରକାରୀ ସ୍ଥରରେ ଘୋଷଣା କରାଯାଇଥିବାବେଳେ ଭଦ୍ରାସାହି ପଞ୍ଚାୟତର ଫଳାଫଳ ୨୭ ତାରିଖ ଅଦ୍ୟାବଧୀ ଘୋଷଣା କରାଯାଇନଥିବା ବାସନ୍ତୀ ସୂଚନା ଦେଇଛନ୍ତି । ଭୋଟ ଗଣତିରେ ବ୍ୟାପକ ହେରଫେର କରାଯାଇଥିବାନେଇ ନେଇ ବାସନ୍ତୀ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି । ସରକାର ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ ଦେଉଥିବାବେଳେ ଏହା ସମ୍ପୂର୍ଣ୍ଣଭାବେ ଗଣତନ୍ତ୍ରର ହତ୍ୟାବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ ଆବଶ୍ୟକ ପଡିଲେ ସେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଉଚ୍ଚନ୍ୟାୟାଳୟର ଆଶ୍ରୟ ନେବେବୋଲି ଗଣମାଧ୍ୟମରେ ଦୃଢୋକ୍ତି ପ୍ରଦାନ କରିଛନ୍ତି ।


