ଦୁଇ ସମ୍ପର୍କୀୟ ଭାଇଙ୍କ ପୋଖାରୀରେ ବୁଡି ମୃତ୍ୟୁବରଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମଠାରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ଖବର ନେବାରେ ଜଣାଯାଇଛି ଯେ, ଗତକାଲି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ସହରର ଜି.ଏସ୍. କୁମାର (୨୩) ଏବଂ ତାଙ୍କ ସମ୍ପର୍କୀୟ ଭାଇ ଜାଡା ସାଇ (୧୮) ଗାରବନ୍ଧ ଠାରେ ରହୁଥିବା ଉଭୟଙ୍କ ମାମୁଁ ପୋଲି ଭେଙ୍କଟରାବଣାଙ୍କ ଘରକୁ ପବିତ୍ର ଶିବରାତ୍ର ପାଳନ ପାଇଁ ବୁଲି ଆସିଥିଲେ । ଉଭୟେ ଗାରବନ୍ଧ ଗ୍ରାମ ଠାରେ ଥିବା ବଡପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ କୌଣସି କାରଣରୁ ଉଭୟେ ଉଲ୍ଲେଖିତ ପୋଖରୀରେ ବୁଡି ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରସାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ମଧ୍ୟରେ ଜି.ଏସ୍. କୁମାର ବିବାହିତ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବରପାଇ ଗାରବନ୍ଧ ଥାନା ପୋଲିସ ପହଂଚି ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଏନେଇ ଗାରବନ୍ଧ ଥାନାରେ ୧/୨୨ରେ ଏକ ଅପମୃତ୍ୟୁମାମଲା ରୁଜୁ କରାଯାଇ ଘଟଣାର ଅଧିକା ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତ ରାୟ ସୂଚନା ପ୍ରଦାନ କରିଛନ୍ତି ।


