ପ୍ରଥମ ଦିନରେ ପିଲାଙ୍କ ଉପସ୍ଥିତି ଉତ୍ସାହଜନକ : ଗୀତ ଗପରେ ଉଛୁଳିଲା ଶ୍ରେଣୀ ଗୃହ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-23 ମାସ ହେବ କରୋନା ମହାମାରୀ ପ୍ରକୋପରୁ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ପ୍ରାଥମିକ ଶ୍ରେଣୀ ଗୁଡ଼ିକରେ ତାଲା ଝୁଲି ଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ ଆଜି ଖୋଲିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ I ଆଜିର ଦିନଟି ପିଲାଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଆଜି ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଉପସ୍ଥିତି ଖୁବ ଉତ୍ସାହଜନକ ଥିଲା ଥିଲା I ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ବେଲଗୁଣ୍ଠା ବ୍ଳକ୍ ଶିକ୍ଷା ବିଭାଗରେ ତତ୍ପରତା ବୃଦ୍ଧି ପାଇଥିଲା I ଆଜି ସକାଳ 10 ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରଥମ ଘଣ୍ଟି ବାଜିବା ପରେ ବିଦ୍ୟାଳୟ ଭିତରକୁ ଛାତ୍ର ଛାତ୍ରୀଙ୍କ ପ୍ରବେଶ ଦୃଶ୍ୟ ଥିଲା ଖୁବ୍ ଭାବ ବିହ୍ଵଳ ମୟ I ଦୀର୍ଘ 23 ମାସର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ନିଜର ସବୁ ସାଙ୍ଗକୁ ପାଖରେ ପାଇ ବହୁତ ଖୁସି ହେଉଥିବା ଦେଖିବାକୁ ମିଳିଥିଲା I ବିଦ୍ୟାଳୟ ଫାଟକକୁ ଫୁଲ ଏବଂ ବେଲୁନ୍ ସଜାଯାଇ ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ବିଦ୍ୟାଳୟ ଭିତରକୁ ସ୍ୱାଗତ କରିବା ସହ ଶ୍ରେଣୀ ଗୃହରେ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରି ସେମାନେ ସଠିକ୍ ଢ଼ଙ୍ଗରେ ମାସ୍କ ପିନ୍ଧି ଶ୍ରେଣୀ ଗୃହରେ ବସିବା ପାଇଁ ଶିକ୍ଷକ ମାନେ ପରାମର୍ଶ ଦେଇଥିଲେ I ସରକାରୀ ନିର୍ଦ୍ଦେଶ କ୍ରମେ ଆଜି କୌଣସି ପାଠ ପଢ଼ା ହୋଇନଥିବା ବେଳେ ଛାତ୍ର ଛାତ୍ରୀ ମାନେ ନିଜ ସାଙ୍ଗସାଥୀ ଏବଂ ଶିକ୍ଷକ ମାନଙ୍କ ସହ ବହୁତ ଖୁସି ଗପ, ଗୀତ, ନାଚ, ଚିତ୍ର, ହସ୍ତକର୍ମ ଏବଂ ଖେଳରେ ସମୟ ଅତିବାହିତ କରିଥିଲେ I ପିଲାମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ କରୋନା ସମୟର ଅନୁଭୂତି, ଅନ୍ ଲାଇନ୍ ପାଠ ପଢାର ସୁବିଧା ଅସୁବିଧା, ତାଲା ବନ୍ଦ ସମୟର କଷ୍ଟରେ ପ୍ରଭୃତି ବିଷୟରେ ମନ ଖୋଲା କଥା ହୋଇଥିଲେ I ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ନିଜ ପ୍ରିୟ ଛାତ୍ର ଛାତ୍ରୀଙ୍କୁ ଅତି ନିକଟରେ ପାଇ ଭାବ ବିହ୍ଵଳ ହୋଇଯାଇଥିଲେ I ଆଜି ବ୍ଳକ୍ ର ପ୍ରାୟ ସମସ୍ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ଶତ ପ୍ରତିଶତ ଥିଲା I ଶିକ୍ଷା ବିଭାଗ ଅଧିକାରୀ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ବିଦ୍ୟାଳୟ ଗୁଡ଼ିକ ପରିଦର୍ଶନକରି ବିଦ୍ୟାଳୟ ଗୁଡ଼ିକରେ କୋଭିଡ ମାର୍ଗଦର୍ଶିକା ଅନୁପାଳନର ତଦାରଖ କରିଥିଲେ I ପ୍ରକାଶ ଥାଉକି ଆସନ୍ତା ଆଠ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଜା ସକାଶେ ପାଠ କାର୍ଯ୍ୟକ୍ରମ ଜାରି ରହିବ ଏବଂ ଆସନ୍ତା 9 ତାରିଖରେ ବେସ୍ ଲାଇନ୍ ପରୀକ୍ଷା କରିବା ପରେ ଅଫ୍ ଲାଇନ୍ ପାଠ ପଢ଼ା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି I ଏହା ସହିତ ଅନ୍ ଲାଇନ୍ ପାଠ ପଢା ମଧ୍ୟ ପୂର୍ବଭଳି ଜାରି ରହିବ ବୋଲି ସରକାରୀ ନିର୍ଦ୍ଦେଶ ରହିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ