ବାଲିଆ ଦୋଳ ମେଲଣ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଚଳିତବର୍ଷର ଦୋଳ ମେଲଣ ପାଇଁ ବାଲିଆ ମେଲଣ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ପାଣ୍ଡିରିସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡା. ବିଶ୍ୱ ପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାଲିଆ ମେଲଣ ମୁଖ୍ୟ ତାରାପ୍ରସାଦ କାନୁନଗୋଙ୍କ ସମେତ ବିଭିନ୍ନ ଅଞ୍ଚଳର ପ୍ରାୟ ୬୩ଟି ମଠବାଡିର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ବୈଠକରେ ମେଲଣ ପରିଚାଳନା ନେଇ ବିଭିନ୍ନ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା । ତେବେ ପ୍ରଥମ ମେଲଣ ଭାବେ ମାର୍ଚ୍ଚ ୧୪ତାରିଖ ଏକାଦଶୀ ତିଥିରେ ପୋଟଳୀ ମାତାମଠ ମେଲଣ ଅନୁଷ୍ଠିତ ହେବ । ଚଳିତ ମେଲଣରେ ଠାକୁରଙ୍କ ଭୋଗ ଖାଇବା ସମୟ ନିର୍ଘଣ୍ଟ ଏବଂ ମେଲଣରେ ପ୍ରବେଶ ପ୍ରସ୍ଥାନ ସମୟ ପ୍ରଭୃତି ଧାର୍ଯ୍ୟ କରାଯାଇଥିଲା । ବୈଠକରେ ମେଲଣ ପାଇଁ ଧାର୍ଯ୍ୟ ନୀତି ନିୟମ ପାଳନ ପାଇଁ ସହମତି ପ୍ରକାଶ ପାଇଥିଲା । ଏହି ଅବସରରେ ଜମଧର ଓ କୁଶିଆପାଳ ସରପଞ୍ଚଙ୍କ ସମେତ ମଠମନ୍ଦିର କତ୍ତୃପକ୍ଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଣ୍ଡିରି ଲକ୍ଷ୍ମୀନାରାୟଣ ମନ୍ଦିର ମହନ୍ତ ଜୀବନାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


