ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଲୋକରତ୍ନ କୁଞ୍ଜବିହାରୀ ଦାଶଙ୍କ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଶାର ପ୍ରଖ୍ୟାତ ଲୋକସାହିତ୍ୟ ଗବେଷକ, ଫକୀରମୋହନ ସାହିତ୍ୟ ପରିଷଦର ପ୍ରତିଷ୍ଠାତା ସଭାପତି ଲୋକରତ୍ନ ଡ. କୁଞ୍ଜବିହାରୀ ଦାଶଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନ ପରିସରରେ ପାଳିତ ହୋଇଯାଇଛି । ପରିଷଦର ଉପ-ସଭାପତି କବି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ସମାଲୋଚକ ପ୍ରାଧ୍ୟାପକ ରବିନାରାୟଣ ଦାଶ, ମୁଖ୍ୟଅତିଥି ଭାବରେ ବିଶିଷ୍ଟ ପ୍ରାବନ୍ଧିକ ପ୍ରାଧ୍ୟାପକ ଡ. ଶିରୀଶଚନ୍ଦ୍ର ଜେନା ଏବଂ ସମ୍ମାନିତ ବକ୍ତା ଭାବେ ଗବେଷକ ପ୍ରଫେସର ଡ. ରାଧାଗୋବିନ୍ଦ କୁଇଲା ଯୋଗ ଦେଇଥିଲେ । ଅତିଥି ଓ ବକ୍ତାମାନେ ଏହି ଅବସରରେ ଡ. କୁଞ୍ଜବିହାରୀ ଦାଶଙ୍କ ବହୁମୁଖୀ ପ୍ରତିଭା, ବ୍ୟକ୍ତିଗତ ଜୀବନଗାଥା, ଫକୀରମୋହନ ସାହିତ୍ୟ ପରିଷଦ ଗଠନରେ ତାଙ୍କର ଆନ୍ତରିକ ଉଦ୍ୟମ, ଲୋକସାହିତ୍ୟ ଗବେଷଣା କ୍ଷେତ୍ରରେ ତାଙ୍କର ଉତ୍ସର୍ଗୀକୃତ ପ୍ରୟାସ, ଭ୍ରମଣକାହାଣୀ ରଚନାରେ ପାରଦର୍ଶିତା ଆଦି ପ୍ରସଙ୍ଗ ପୁଂଖାନୁପୁଂଖ ଓ ତାତ୍ତ୍ୱିକ ଆଲୋଚନା କରିଥିଲେ । ଏହି ଉତ୍ସବରେ ପ୍ରାକ୍‌ଭାଷ ରଖିଥିଲେ ପରିଷଦର ଅନ୍ୟତମ ଉପ-ସଭାପତି କଥାକାର ପ୍ରଦୀପ ଚାଟାର୍ଜୀ । ସହ-ସମ୍ପାଦକ ଡ. ସାରଙ୍ଗଧର ତ୍ରିପାଠୀ ଅତିଥିମାନଙ୍କୁ ମଞ୍ଚାହ୍ୱାନ କରିଥିଲା ବେଳେ ଯୁଗ୍ମ-ସମ୍ପାଦିକା କବୀ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ନାୟିକା’, ନାଟ୍ୟଚେତନା, ଭୁବନେଶ୍ୱର ଦ୍ୱାରା ପ୍ରାୟୋଜିତ ଫକୀରମୋହନଙ୍କ ରେବତୀ ଗଳ୍ପ ଆଧାରରେ ରଚିତ ନାଟକ “ରେବତୀ, ସେବତୀ, ଏବତୀ” ନାଟକ ଅଭିନେତ୍ରୀ ସୁଜାତା ପ୍ରିୟମ୍ବଦାଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ପରିଷଦର ବହୁ ସଦସ୍ୟ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ