ଚିତ୍ରସେନ ଅସ୍ତ୍ର ବୁମେରଂ ହେବ ନାହିଁତ ?
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ଏନଏସି କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ପୂର୍ବରୁ ଆଉ ଗୋଟିଏ ଥର ଅଧ୍ୟକ୍ଷ ପଦବୀ ପାଇଁ ଚଳିତ ନିର୍ବାଚନ ପ୍ରକାରେ ଜନସାଧାରଣ ସିଧାସଳଖ ଭୋଟ ଦେଇଥିଲେ। ସେହି ନିର୍ବାଚନରେ କଂଗ୍ରେସ ପକ୍ଷରୁ ଉନା ରଘୁନାଥ ପାତ୍ର ଓ ଜନତା ଦଳ ପକ୍ଷରୁ କାଶୀନାଥ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରିଥିଲେ । ବିଜୟୀ ହୋଇଥିଲେ କଂଗ୍ରେସର ଉନା ରଘୁନାଥ ପାତ୍ର । ଗତ ପୌର ନିର୍ବାଚନରେ ବୁଗୁଡା ଏନଏସି କୁ କଂଗ୍ରେସ ଦଖଲ କରିଥିଲା । ସେହି ନିର୍ବାଚନରେ କଂଗ୍ରେସର ମଙ୍ଗ ଧରିଥିଲେ ତତ୍କାଳୀନ ପୋଲସରା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଗୋକୁଳାନନ୍ଦ ମଳିକ। ବୁଗୁଡା ଏନଏସିର ଅଧ୍ୟକ୍ଷା ହୋଇଥିଲେ ଉପାଧ୍ୟକ୍ଷ ଇଂ ସୁବ୍ରତ ପଟ୍ଟନାୟକଙ୍କ ଧର୍ମପତ୍ନୀ। ଦଳୀୟ ଅସନ୍ତୋଷ ଯୋଗୁଁ ସୁବ୍ରତ ବାବୁ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବେଳେ ଚିତ୍ରସେନ ପ୍ରଧାନ ବୁଗୁଡା ଏନଏସି ର ଉପାଧ୍ୟକ୍ଷ ହୋଇଥିଲେ। ସମୟ ବଦଳିଛି, ଗୋକୁଳାନନ୍ଦ ମଳିକ ବା ମିଟୁ ବାବୁ ବର୍ତ୍ତମାନ ବିଜେପି ର ଘୁମୁସର ଜିଲ୍ଲା ସଭାପତି ଥିବାବେଳେ ବୁଗୁଡା ଏନଏସି ପାଇଁ ମଙ୍ଗ ଧରିଛନ୍ତି। ଉପାଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ସମେତ କେତେଜଣ କାଉନସିଲର ଯୋଗଦେଲେ ବିଜୁ ଜନତା ଦଳରେ। ବର୍ତ୍ତମାନ ଚିତ୍ରସେନ ପ୍ରଧାନ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଥିବା ବେଳେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି ପ୍ରତାପ ଚନ୍ଦ୍ର ନାୟକ । ମାର୍ଚ୍ଚ ୯ ତାରିଖ ଦିନ ଯାଞ୍ଚ ସମୟରେ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ଚିତ୍ରସେନ ପ୍ରଧାନ ତିନି ସନ୍ତାନର ଜନକ ହୋଇଥିବାରୁ ତାଙ୍କ ନାମାଙ୍କନ ପତ୍ର ନାକଚ କରାଯାଉ। ଅବଶ୍ୟ ନିର୍ବାଚନ ଅଧିକାରୀ ଅନୁଧ୍ୟାନ କଲାପରେ ଚିତ୍ରସେନ ପ୍ରଧାନଙ୍କ ପ୍ରାର୍ଥୀପତ୍ର କାଏମ ରଖିଛନ୍ତି। ଅବଶ୍ୟ ଚତ୍ରସେନ ପ୍ରଧାନ ବିଜେପିର ଅଭିଯୋଗ ମିଥ୍ୟା ଉପରେ ଆଧାରିତ ବୋଲି ପ୍ରକାଶ କରିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଚତ୍ରସେନ ପ୍ରଧାନ ତିନି ସନ୍ତାନର ଜନକ ତେବେ ଗତ ଏନଏସି ନିର୍ବାଚନରେ ଲଢ଼ିଥିଲେ କିପରି ? ଯେହେତୁ ଗତ ନିର୍ବାଚନ ପରଠାରୁ ସେ ସନ୍ତାନର ଜନକ ହୋଇନାହାନ୍ତି ।


