ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା) :କେନ୍ଦ୍ର ବିଜେପି ସରକାରଙ୍କ ବିରୁଦ୍ଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସ୍ୱାଧିନ ଫେଡେରେସନ୍ ଓ ଆସୋସିଏସନ୍ ମାନଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ୨୮ ଓ ୨୯ ତାରିଖ ଦୁଇଦିନ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ପାଇଁ ରବିବାର ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ଗଞ୍ଜାମ ଜିଲ୍ଲା କମିଟି ବୈଠକ ସଭାନେତ୍ରୀ ମମତା ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିେର ମୁଖ୍ୟ ଅତିଥି ଭାବେ ଏଆଇଟିୟୁସି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ଜେନା ଓ ଗଂଜାମ ଜିଲ୍ଲା ନେତା ନୀଳକଣ୍ଠ ଦାଶ ଯୋଗ ଦେଇ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରି, ସାର୍ବଜନୀନ ସାମାଜିକ ସୁରକ୍ଷା, ଯଥା ଆଶା, ଅଙ୍ଗନବାଡି, ପାଚିକା ଇତ୍ୟାଦିଙ୍କ ପାଇଁ ଶ୍ରମିକର ମାନ୍ୟତା ସହିତ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ନିମନ୍ତେ ଦାବି କରିବା ସହ କେନ୍ଦ୍ରସରକାରଙ୍କ ଜନମାରାଣା ନୀତି ବିରୁଦ୍ଧରେ ଗର୍ଜଥିଲେ । ୪ ଟି ଶ୍ରମ କୋଡ୍ ଓ ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେବା ଆଇନ ବାତିଲ କରିବା, କୃଷି ଆଇନ ବାତିଲ, ପରବର୍ତ୍ତୀ ସଂଯୁକ୍ତ କିଶାନ ମୋର୍ଚ୍ଚାର ୬ ଦଫା ଦାବୀ ଗ୍ରହଣ କରିବା, ଘରୋଇକରଣ ବନ୍ଦ କରିବା ସହ ଜାତୀୟ ସମ୍ପଦ ମୁଦ୍ରିକରଣ ଯୋଜନା ବାତିଲ କରିବା, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା ସହ ଆୟକର ପ୍ରଦାନ ବାହାରେ ଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ପ୍ରଦାନ କରିବା, ସ୍କିମ୍ ୱାର୍କର ଯଥା; ଅଙ୍ଗନବାଡି, ଆଶା, ପାଚିକା ଇତ୍ୟାଦିଙ୍କୁ ୱାର୍କର ମାନ୍ୟତା ପ୍ରଦାନ କରାଯିବା, ସମସ୍ତ ଅଣଆନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ କରିବା, ମନରେଗା କାର୍ଯ୍ୟ ଦିବସ ସୃଷ୍ଟି ସହ ସହରାଂଚଳକୁ ଏହାର ପ୍ରସାର କରିବା, କୋଭିଡ୍ ମହାମାରୀ ସମୟରେ କରୋନା ଯୋଦ୍ଧାଙ୍କୁ ସମସ୍ତ ସହାୟତା ଓ ବୀମାରାଶି ପ୍ରଦାନ କରିବା, ଧନୀକ ବର୍ଗଙ୍କ ଉପରେ ଟିକସ ଧାର୍ଯ୍ୟ କରି ଜାତୀୟ ସମ୍ବଳ ସୃଷ୍ଟି କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ସହ ପେଟ୍ରୋଲ ଜାତ ଦ୍ରବ୍ୟ ଉପରୁ ଅବକାରୀ ଟିକସ ହ୍ରାସ କରାଯିବା, ଠିକାକରଣ ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ସହ ଏହାକୁ ବନ୍ଦ କରିବା, ସମାନ କାମକୁ ସମାନ ଦରମା ଲାଗୁ କରିବା, ଜାତୀୟ ପେନସନ୍ ଯୋଜନା ବାତିଲ ଓ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ସମେତ ୧୨ ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ନିଖିଳ ଓଡିଶା ଅଙ୍ଗନବାର୍ଡୀ କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ନର୍ମଦା ନାହାକ, ମାଣିକେଶ୍ୱରୀ ପଟ୍ଟନାୟକ, ପ୍ରତିମା ଦାସ, ଗାୟତ୍ରୀ ପଣ୍ଡା, ସାକମ୍ବରୀ ବାରିକ, ଦମୟନ୍ତି ଦୋରା, ଲକ୍ଷ୍ମୀ କୁମାରୀ ପ୍ରଧାନ, ମିନତି ବରାଳ, ମିତାରାଣୀ ବିଶ୍ୱାଳଙ୍କ ସମେତ ବହୁ ନେତୃ ମଣ୍ଡଳୀ ଓ ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।