ଗଡ଼ଗଡ଼ା ସହରରେ ଭୋଟ୍ ବେଳ 

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଏ ଗଡ଼ଗଡ଼ା ସହର ଆମ ପିଲାଦିନେ କେତେ ସଫା ସୁତୁରା ନ ଥିଲା? ନିତି ସକାଳ ହେଉ ହେଉ ରାସ୍ତା ନାଳ ନର୍ଦ୍ଦମା ସବୁ ସଫା ହୋଇ ଫିନାଇଲ ପଡୁଥିଲା। ତେଣୁ ତ ମଶା ଜମାରୁ ନ ଥିଲେ। ଆଉ ମଶା ନ ଥିବାରୁ ଖରାଦିନେ ରାତିରେ ଆମେ ସବୁ ଯେଝା ଘର ବାହାରେ ଖଟ ପକାଇ ମଶାରି ନ ଟାଙ୍ଗି ଖୋଲା ଆକାଶ ତଳେ ପବନ ଖାଇ ଖାଇ ମହାନନ୍ଦେ ଶୋଇ ଯାଉଥିଲେ । ଏବେ ତ ରାସ୍ତା ଘାଟ ଯହିଁ ଦେଖ ତହିଁ ଖାଲି ଖାଲଖମା। ନାଳ ନର୍ଦ୍ଦମା ସଫା କଥା ନ କହିଲେ ଭଲ। ନିତି ସଫା ହେବା ତ ସାତ ସପନ। ଢେର୍‌ ଦିନ ଧରି ସଫା ନ ହେଲା ପରେ ବି କେବଳ ମନେ ପକାଇ ଦେଲେ ଚଳିବନି, ବରଂ ଏ ନେଇ କାହାର ପାଦ ତ କାହାର ଗୋଡ଼ ତ ଆଉ କାହା ଥୋମଣି କେତେ କ’ଣ ପକଡ଼ଇ ଦାନ୍ତ ନେଫେଡ଼ିଲେ ଇ ଧର୍ମକୁ ଆଖିଠାର ପ୍ରାୟେ ଦୈବାତ୍‌ କେହି ଆସି ଟିକେ ଓଳାଓଳି କରି ଦେଇ ଯିବେ। ତଦୁତ୍ତାରେ ପୁଣି ଯଥା ପୂର୍ବମ୍‌ ତଥା ପରମ୍‌ ହୋଇ ରହିଥିବ ସବୁ। ମଶାମାନେ ତେଣୁ ଏଠି ଆରାମରେ ରହି ବଂଶ ବିସ୍ତାର କରି ଚାଲିଥା’ନ୍ତି। ଆଉ ଗଡ଼ଗଡ଼ିଆ ମଶାଙ୍କ କଥା କେତେ ବଖାଣିବା? ସେମାନଙ୍କ ବିନାଶ ପାଇଁ କେତେ କ’ଣ ପାଞ୍ଚି ଯେତେ ଯାହା ପ୍ରପଞ୍ଚ କଲେ ବି ବରଂ ସେସବୁ ସେମାନଙ୍କ ବିକାଶକୁ ଦିନୁ ଦିନ ବଢ଼ାଇ ଚାଲିଛି । ସେଦିନ ଜଣେ ଗଡ଼ଗଡ଼ିଆ ବଖାଣୁଥିଲେ କେମନ୍ତ ତାଙ୍କ ହାତରେ ବୃହଦାକାର ଗଡ଼ଗଡ଼ିଆ ମଶାଟାଏ ତା’ ଶୋଷକସୁଲଭ ଆସ୍ଥାନ ଜମାଇ ଚାଲିଥିଲା। ତଜ୍ଜନିତ ପୀଡ଼ା ଅନୁଭବ ପରେ ସେ ବସିଥିବା ଥାନର ପାଖାପାଖି ଜାଗାରେ ଯେତେ ସଜୋର ଚପେଟାଘାତ କଲେ ହେଁ ମଶାଟି ସେମିତି ବସି ରହି ଶୁଣ୍ଢ ଫୋଡ଼ି ଶୋଷିବାର ଆନନ୍ଦରେ ଏମିତି ମଗ୍ନ ରହିଲା ଯେ କହିଲେ ନ ସରେ। କଥାଟିକୁ ବଖାଣୁଥିବା ଏହି ପରମ ଅହିଂସ ଗଡ଼ଗଡ଼ିଆ ଭଦ୍ରଲୋକ ଜଣକ ‘ହେ ପ୍ରଭୁ ପରିତ୍ରାଣ କର’ ବୋଲି କହି ତା’ ଉପରେ ଚାପୁଡ଼ାଟିଏ ପ୍ରହାର କରନ୍ତେ, ମଶାଟି ପ୍ରାଣପାତ କରିବା ସହିତ ତା’ କାର୍ଯ୍ୟରୁ ନିବୃତ୍ତ ହେଲା। ଗଡ଼ଗଡ଼ା ସହରରେ ଆଗେ ବତିଖୁଣ୍ଟ ଅଳ୍ପ ଥିଲା, କିନ୍ତୁ ସଂଜ ହେଉ ହେଉ ବତି ଜଳୁଥିଲା। ଏବେ ବି ଅଛି, ହେଲେ ଯେତେ ବତି ଲଗାଇଲେ ବି ଆପଣା ରାସଲୀଳାର୍ଥେ ନିରୋଳା ଅନ୍ଧାରକାମୀ ହଳହଳ ପ୍ରେମୀଯୁଗଳ ସକ୍ରିୟ ହୋଇ ଉଠି କେବେ ସେ ସବୁକୁ ଭାଙ୍ଗି ପକାଉଛନ୍ତି ତ କେବେ କେବେ ଗଡ଼ଗଡ଼ିଆ ସହରର ଖାନଦାନି ଚୋରମାନଙ୍କ ସ୍ବଭାବସୁଲଭ ହରକତ କାରଣରୁ ସେ ସବୁ ଗାଏବ ହୋଇ ଯାଉଛି। ଆଉ ମରାମତି କରିବା କିମ୍ବା ନୂଆ ବତି ଲଗାଇବା କଥା ନେଇ ଆପଣ ଯେତେ ଚିତ୍କାର କଲେ ବି ତାହା ଗଡ଼ଗଡ଼ା ସହର ଚଳାଉଥିବା ଲୋକଙ୍କ କର୍ଣ୍ଣ ଗହ୍ବରରେ ପଶେ ନାହିଁ। ଗଡ଼ଗଡ଼ା ସହରରେ ଆଗେ ଛୋଟିଆ ବଜାରଟିଏ ଥିଲା। ଛୋଟ ଛୋଟ ଚାଳ କୁଡ଼ିଆ ଓ ଝୁମ୍ପୁଡ଼ି ଦୋକାନ ଥିଲା। ଏବେ କିନ୍ତୁ ଟିଣ ଛାତ ତଳେ କ୍ୟାବିନ୍‌ମାନ କରି ଦୋକାନୀ ବସୁଛନ୍ତି। ଦୋକାନୀମାନଙ୍କୁ ପିଣ୍ଡି ବି ଯୋଗାଇ ଦିଆଯାଇଛି। ହେଲେ ଦୋକାନୀଏ ପିଣ୍ଡି ଉପରେ ନ ବସି ରାସ୍ତା କଡ଼ରେ ବସି ଜିନିଷ ବିକୁଛନ୍ତି, ଗହଳି କରୁଛନ୍ତି। ପଚାର କାହିଁକି? କାହିଁକି ନା ଗଡ଼ଗଡ଼ା ସହରରେ ଏବେ ଯୋଉଠି ନା ସେଇଠି ଖୋଲି ଯାଇଛି ଠିପି ବନ୍ଦ ସୋମରସ ଦୋକାନମାନ! ତ’ ସେଇ ଦୋକାନରୁ ସୋମରସ ଲାଭ କରି ପରିବା ବିକା ପିଣ୍ଡି ଉପ‌େର ବସି ତାହା ତେଣ୍ଡିବାର ଯୋଉ ଅପୂର୍ବ ମଜା, ତାହା ଗଡ଼ଗଡ଼ା ସହରର ଦେବତାମାନଙ୍କୁ ଆନନ୍ଦରେ ଅଧୀର କରି ପକାଉଛି। ତେଣୁ ଏତାଦୃଶ ମହାର୍ଘ ଦୃଶ୍ୟ ଦିନ ଦିପହରରୁ ବିଳମ୍ବିତ ରାତି ଯାଏ ଦେଖିବାକୁ ମିଳୁଛି ଗଡ଼ଗଡ଼ା ସହରରେ। ଆଗେ ଛୋଟ ପିଲାଏ ପଚାରୁଥିଲେ ‘ବାପା ଏଠି ଏମାନେ କ’ଣ କରୁଛନ୍ତି?’ ଏବେ ଆଉ ପଚାରୁ ନାହାନ୍ତି। ଏବେ ସମସ୍ତେ ଏକଦା ଦୁର୍ଲଭ ଥିବା ଏ ଦୃଶ୍ୟ ସୁଲଭରେ ଦେଖିବାକୁ ପାଉଛନ୍ତି । ଆପଣ ବି ତାଜୁବ୍ ହୋଇ ଯାଉଥିବେ ଯେ ଗଡ଼ଗଡ଼ା ସହରର ଏମନ୍ତ ଅବସ୍ଥା ନେଇ ଆମେ ହଠାତ୍‌ ବାଉଳିଚାଉଳି ହେବା ପ୍ରାୟେ ହେଉଛୁ କାହିଁକି? କଥା କ’ଣ ନା ଆମ ସହିତ ଫୋନାଳାପ ନାଁରେ ଗତ ଘଣ୍ଟାଏ ଧରି ଏସବୁ ଗଳଗଳ ହୋଇ ଉଗାଳିଚି ଗଡ଼ଗଡ଼ା ସହରର ପରମ ହିତୈଷୀ ଓ ସହରର ଆତ୍ମଘୋଷିତ ଗାର୍ଜନ ବାବୁରାଓ। ବାବାରାଓ ବି ଆମର ଜଣେ ପରମ ମିତ୍ର। ସେ ରିଟାୟାର୍ଡ‌୍ ବୟସ ପହଞ୍ଚିବାର ଦି ବର୍ଷ ଆଗରୁ ନିଜ ଇଚ୍ଛାରେ ବ୍ୟାଙ୍କ୍‌ ଚାକିରିରୁ ଅବସର ନେଇ ସହର ଲୋକଙ୍କୁ ସଚେତନ କରିବା ଲାଗି ଏସବୁ କଥା ଲେଖି ଲିଫ୍‌ଲେଟ୍ ଛାପି ବାଣ୍ଟି ଚାଲିଛି ଓ ଏଇଆ ବି କହି ଚାଲିଛି ଯେ ଆଗକୁ ଯୋଉ ନିର୍ବାଚନ ବି ଆସୁ, ତହିଁରେ ଏ ସବୁର ଦୂରୀକରଣ ଯିଏ କରିବ ବୋଲି ନିର୍ଭର ଭାବେ ହଁ କହିବ, ତା ନାଁ ଆଗରେ ହିଁ ‘ପିଁ’ ଦବାଇବ ଯେମିତି ! କାଲି ତ ଗଡ଼ଗଡ଼ା ସହରର ପୌର ନିର୍ବାଚନ! ଦେଖିବା କ’ଣ ହଉଛି? କିନ୍ତୁ ବାବୁରାଓର ଉଚ୍ଚାଟକୁ ଦେଖିବା ପରେ ଆମର ଆଉ ବିଶେଷ ସନ୍ଦେହ ନାହିଁ ‌ଯ ଏ ଯାବତ୍‌ ସରଳ ପ୍ରତେ ହୋଇ ଆସିଥିବା ବାବୁରାଓ ନାମଧେୟ ପ୍ରାଣୀଟି ଏମନ୍ତ ଚମକପ୍ରଦ କିସମର କର୍ମମାନରେ ଏଡ଼େ ଘାଏଁ ଲାଗି ରହିବା ଭିତରେ ଖୁବ୍‌ ଶୀଘ୍ର ଏକ ସଂପୂର୍ଣ୍ଣ ପଲିଟିକାଲ୍‌ ଜୀବ ପାଲଟିବାକୁ ଯାଉଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ