ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ହେଲେ ଉପାଧ୍ୟକ୍ଷ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକର ଉପାଧ୍ୟକ୍ଷ ଭାବେ ସୁଜିତ ପୁହାଣ ବୁଧବାର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପାଧ୍ୟକ୍ଷ ପଦବୀଟି ବିଜେଡି ସମଥିତ ବରିଷ୍ଠ ସଭ୍ୟଙ୍କ ନିକଟକୁ ଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଡାବର ପଂଚାୟତରୁ ବିଜେଡି ସମର୍ଥନରେ ସୁବଳ ବେହେରା ନିର୍ବାଚିତ ହୋଇଥିଲେ । ସୁବଳ ଜଣେ ଦକ୍ଷ ସଙ୍ଗଠକ ହୋଇଥିବା ବେଳେ ପୂର୍ବରୁ ଡାବର ପଂଚାୟତରୁ ସରପଂଚ ହୋଇଥିବା ବେଳେ ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ଜୋନ ନମ୍ବର-୨ରୁ ନିର୍ବାଚିତ ହୋଇଥିଲେ । ଏଥର ଉପାଧ୍ୟକ୍ଷ ପଦବୀଟି ସୁବଳଙ୍କ ହାତରେ ରହିବ ବୋଲି ଦଳୀୟ କର୍ମୀମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ସୁବଳଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇନଥିବା ବେଳେ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକି ବରିଷ୍ଠ ଓ ଅଭିଜ୍ଞ କର୍ମୀଙ୍କୁ ବାଦ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସୁଜିତ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଡେରିକି ପଂଚାୟତରୁ ସମିତି ସଭ୍ୟ ଭାବେ ସ୍ୱାଧୀନ ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ । ସେ ପୂର୍ବରୁ ବିଜେଡି ଦଳର ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ । ବିଜେଡି ଦଳ ତରଫରୁ ତାଙ୍କୁ ଅଣଦେଖା କରାଯାଇ ଥିବାରୁ ସେ ସ୍ୱାଧୀନ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଜିଲ୍ଲା ବିଜେଡି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ । ସୁଜିତ ସ୍ୱାଧିନ ଭାବେ ନିର୍ବାଚିତ ହେବା ପରେ ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ମୁଦୁଲିଙ୍କ ଦ୍ୱାରା ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଥାଉକି ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷା ଚୟନରେ ନିର୍ବାଚିତ ସ୍ୱାଧୀନ ପ୍ରାର୍ଥୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଗତ ତ୍ରିସ୍ତରୀୟ ନିର୍ବାଚନରେ ୧୬ଟି ସମିତି ସଭ୍ୟଙ୍କ ମଧ୍ୟରୁ ୭ଜଣ ବିଜେଡି ସମର୍ଥିତ ହୋଇଥିବା ବେଳେ ୫ ଜଣ କଂଗ୍ରେସ ସମର୍ôଥତ ଓ ୪ଜଣ ସମିତି ସଭ୍ୟ ସ୍ୱାଧିନ ଭାବେ ନିର୍ବାଚିତ ହୋଇଥିଲେ ।


