ନବନିର୍ବାଚିତ ସରପଞ୍ଚଙ୍କ ପ୍ରଥମ ଅଧିବେଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରୀମତୀ ଦେବଦାସୀ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସୌମ୍ୟରଂଜନ ଜେନା ଉପସ୍ଥିତ ରହି ଜନକଲ୍ୟାଣ ପାଇଁ ପଞ୍ଚାୟତର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ଦେଇଥିବା ବେଳେ ଏଥିପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଏହାଛଡା କେଉଁ କେଉଁ ୱାର୍ଡରେ କିଭଳି ଭାବେ ଉନ୍ନୟନ ମୂଳକ କାମ ହେବ ସେ ନେଇ ଶ୍ରୀ ଜେନା ଉପସ୍ଥିତ ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ମତ ଲୋଡ଼ିବା ସହ ଏକ ଚିଠା ପ୍ରସ୍ତୁତ କରିଥିଲେ। ଏଥିରେ ବିଡ଼ିଓ ଦେବଦତ୍ତ ଦାସ ଯୋଗଦେଇ ସରକାରଙ୍କ ଜନହିତକାରି ଯୋଜନାକୁ କେଉଁଭଳି ପଞ୍ଚାୟତରେ କାର୍ଯ୍ୟକାରୀ କରାଯାଇ ପାରିବ ସେ ଦିଗରେ ୱାର୍ଡମେମ୍ବର ଠାରୁ ସରପଞ୍ଚଙ୍କ ଯାଏଁ ସମସ୍ତେ ଦୃଷ୍ଟି ଦେବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ। ବୈଠକରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ସମିତିସଭ୍ୟ ରାଜେଶ କୁମାର ଜେନା, ନାଏବ ସରପଞ୍ଚ ଅଶୋକ କୁମାର ସେଠୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ସମସ୍ତ ୱାର୍ଡର ସଭ୍ୟ ସଭ୍ୟା ମାନେ ଯୋଗଦେଇଥିବା ବେଳେ ଜିଆରଏସ ଅଧର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


