ଭାଙ୍ଗ ଚାଲାଣ ବେଳେ ପୋଲିସର ଅତର୍କିତ ଚଢାଉ : ୨ ଗାଡ଼ି ସମେତ ୪ ଗିରଫ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ପାଟପୁର ପୋଲିସ ପକ୍ଷରୁୁ ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲି ଚାଲିଥିବା ବେଳେ ଗଜପତି ଜିଲ୍ଲାରୁ ପୁରୀକୁ ବେଆଇନ ଭାବେ ଭାଙ୍ଗ ଚୋରାଚାଲାଣ କରୁଥିବା ଅଭିଯୋଗରେ ପୋଲିସ ୪ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଏଥିସହ ପୋଲିସ ୨ ଟି ବୁଲେରୋ ଗାଡ଼ି ସମେତ ଉଭୟ ଗାଡିରୁ ୧୩୮୨ କେଜି ଭାଙ୍ଗ ଓ ନଗଦ ୧୬ ହଜାର ଟଙ୍କା ଜବତ କରିଥିବା ଆୟୋଜିତ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ । ଗିରଫ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପିପିଲି ଥାନା ଦଣ୍ଡ ମୋହନପୁର ଗ୍ରାମର କାହ୍ନୁଚରଣ ବେହେରା (୨୬) , ଡେଲାଙ୍ଗ ଥାନା ଗୁଆଛକର ନୀରଞ୍ଜନ ପଟ୍ଟାଦାଶୀ (୨୬) , ସୁକାନ୍ତ ବାରିକ (୪୯) , ଏବଂ ସୁକାନ୍ତ ସାହୁ (୩୧) ବୋଲି ସୂଚନା ମିଳିପାରିଛି । ଅଭିଯୁକ୍ତ ମାନେ ଦୀର୍ଘଦିନ ଧରି ଏହି ବେଆଇନ ବେପାର କାରବାର ଚଳାଇ ଆସୁଥିଲେ ପୋଲିସ ଅନୁମାନ କରୁଛି। ଗତକାଲି ସନ୍ଧ୍ୟା ସାଢେ ୬ ଘଣ୍ଟା ସମୟରେ ପୋଲିସ ଏସ୍ ଆଇ ଟୁନା ପିଡିକା ଡେଙ୍ଗାଓସ୍ତା ଠାରୁ ପଳାସପୁର ରାସ୍ତାରେ ପେଟ୍ରୋଲି ବ୍ୟବସ୍ଥା କଡାକଡି କରୁଥିବା ବେଳେ ପ୍ରଥମେ ଡେଙ୍ଗାଓସ୍ତା ଠାରେ (ଓଡି୦୨ ଏଚ୍ ୧୫୫୮) ଯୋଗେ ଚୋରାଚାଲାଣ କରୁଥିବା ଗାଡିକୁ ଅଟକାଇ ଅନୁସନ୍ଧାନ କରି ସେଥିରେ ବେଆଇନ ଭାବେ ୩୩ ଗୋଟି ବସ୍ତାରେ ଥିବା ୧୦୧୧ କେଜି ୪ ଶହ ଗ୍ରାମ ଭାଙ୍ଗ ସହ ୧୧୮୦୦ ଟଙ୍କା ଜବତ କରିଥିଲେ । ସେହିପରି ସୁମନ୍ତପୁର ରାସ୍ତାରେ ଶାନ୍ତନୁ କୁମାର ଡିଗଲଙ୍କ ନେତୃତ୍ୱରେ ଯାଞ୍ଚ ବ୍ୟବସ୍ଥା ଚାଲିଥିବା ବେଳେ ( ଓଡି୦୨ ବିଜି ୭୧୬୮) ଯୋଗେ ୧୨ ଗୋଟି ବସ୍ତାରେ ଚୋରାଚାଲାଣ ହେଉଥିବା ୩୭୦ କେଜି ୬ ଶହ ଗ୍ରାମ ଭାଙ୍ଗ ଜବତ କରିଥିଲା । ଏଥିସହ ପୋଲିସ ସେମାନଙ୍କ ନିକଟରୁ ୧୪୨୦୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଏନେଇ ପାଟପୁର ଥାନା ମାମଲା ନଂ ୯୧ /୨୦୨୨ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ