କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିର ଦୃଢ଼ ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା) :କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍‌ମାନଙ୍କ ମିଳିତ ଆହ୍ୱାନରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଦୁଇଦିନିଆ ଧର୍ମଘଟ ତଥା ‘ଭାରତବନ୍ଦ’ ପ୍ରଥମ ଦିନରେ ବାଲେଶ୍ୱରରେ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଶ୍ରମିକ ସଂଘ ସମନ୍ୱୟ ସମିତି ‘ଟିୟୁଏସିସି’ଅନ୍ତର୍ଗତ ଏକାଧିକ ଶ୍ରମିକ ସଂଗଠନଙ୍କ ସମେତ ବ୍ୟାଙ୍କ କର୍ମଚାରୀ ସଂଘ, ଜୀବନବୀମା କର୍ମଚାରୀ ସଂଘ,ସାଧାରଣ ବୀମା କର୍ମଚାରୀ ସଂଘ, ପରିବହନ ଶ୍ରମିକ କର୍ମଚାରୀ ସଂଘ, ପଥ ବିକ୍ରେତା ସଂଘ, ଅଙ୍ଗନୱାଡ଼ି କର୍ମୀ ସଂଘ, ପାଚିକା ସହାୟିକା ସଂଘ, ପ୍ରତିରକ୍ଷା ଠିକା କର୍ମଚାରୀ ସଂଘ, ବିକ୍ରୟ ପ୍ରତିନିଧି ସଂଘ, ପାୱାର ଏମ୍ପେ୍ଲାଇଜ୍ ୟୁନିୟକ, ରିକ୍ସା ଓ ଅଟୋରିକ୍ସା ଚାଳକ ସଂଘ, ମାଲଗୋଦାମ ମୁଟିଆ ସଂଘ ପ୍ରଭୃତିଏହି ଦୁଇଦିନିଆ ଧର୍ମଘଟରେ ସାମିଲ ହୋଇଛନ୍ତି । ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ସଦସ୍ୟମାନେ ମିଳିତ ଭାବେ ସକାଳେ ପ୍ରଥମେ ବାଲେଶ୍ୱରରେ ରେଳରୋକ କରିଥିଲେ । ଆନ୍ଦୋଳନକାରୀମାନେ ଭଦ୍ରକ-ହାଓଡ଼ା ଏକ୍ସପ୍ରେସ, କରମଣ୍ଡଳ ସୁପରଫାଷ୍ଟ ଓ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନକୁ ବାଲେଶ୍ୱର ରେଳ ଷ୍ଟେସନରେ ପ୍ରାୟ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ଅଟକାଇଥିଲେ । ସେହିଭଳି ଜିଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବଳ ଟ୍ରେନ୍ ନୁହେଁ ବରଂ ସହର ସମେତ ଜିଲାର ବସ, ଟ୍ରକ, ଟ୍ରେକର, ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ପରେ ଆନ୍ଦୋଳନକାରୀ ଦଳ ଦଳ ହୋଇ ସହରର ବିଭିନ୍ନ ଅଞ୍ଚଳ ବୁଲି ଦୋକାନ ବଜାର ବନ୍ଦ କରିଥିଲେ । ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ ସେମାନେ ବାଲେଶ୍ୱର ଜିଲା ଜଜଙ୍କ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲା ଜଜଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଅଦାଲତକୁ ଆସି ବିକ୍ଷୋଭକାରୀଙ୍କ ବିରୋଧ ଯୋଗୁଁ ଫେରି ଯାଇଥିଲେ । ବାଲେଶ୍ୱର ସହରର ଏକାଧିକ କୋର୍ଟ, ବିଭିନ୍ନ ବ୍ୟାଙ୍କ, ତହସିଲ, ସବ-ରେଜିଷ୍ଟ୍ରାର ଅଫିସ ପ୍ରଭୃତିରେ ସ୍ୱାଭାବିକ କାର୍ଯ୍ୟ ଚାଲିନଥିଲା । ଷ୍ଟେଟବ୍ୟାଙ୍କ କର୍ମଚାରୀ ଓ ଘରୋଇ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ଯୋଗ ଦେଇ ନଥିବାରୁ ଆନ୍ଦୋଳନକାରୀମାନେ ଏହି ବ୍ୟାଙ୍କ ଶାଖାଗୁଡ଼ିକ ସମ୍ମୁଖରେ ବିକ୍ଷୋଭ କରଥିଲେ । ସେହିଭଳି ଆନ୍ଦୋଳନକାରୀଙ୍କ ପିକେଟିଂ ଯୋଗୁଁ ପେଟ୍ରୋଲ ପମ୍ପ, ହୋଟେଲ, ଗ୍ରୋସରୀ ସମେତ ସହରର ପ୍ରାୟ ସମସ୍ତ ଦୋକାନ ବନ୍ଦ ରହିବା ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ମଧ୍ୟାହ୍ନରେ ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ କରି ଶ୍ରମଆଇନ ସଂଶୋଧନ ଆଳରେ ଶ୍ରମିକଙ୍କ ଅଧିକାର ଓ ସୁରକ୍ଷାକୁ ସଙ୍କୁଚିତ କରିବା, ଅନିୟନ୍ତ୍ରିତ ଦରଦାମ ବୃଦ୍ଧି, ରାଷ୍ଟ୍ରୀୟ ଉଦ୍ୟୋଗ ଘରୋଇକରଣ ଆଦି ବିରୋଧରେ ଆୟୋଜିତ ଏହି ଦୁଇଦିନିଆ ବନ୍ଦରେ ସ୍କିମ୍ ୱାର୍କରଙ୍କୁ ଶ୍ରମିକ ମାନ୍ୟତା, ମାସିକ ସର୍ବନିମ୍ନ ୨୮ ହଜାର ଟଙ୍କା ବେତନ ଓ ୯ ହଜାର ମାସିକ ପେନସନ୍‌, ଠିକା ଶ୍ରମିକ ବ୍ୟବସ୍ଥା ଉଚ୍ଛେଦ, ସମାନ କାମକୁ ସମାନ ବେତନ ପ୍ରଭୃତି ୧୨ ଦଫା ଦାବି ଉପରେ ବିକ୍ଷୋଭକାରୀମାନେ ନାରାବାଜି କରିଥିଲେ । ଭାରତ ବନ୍ଦର ପ୍ରଥମ ଦିନରେ ଟିୟୁଏସିସିର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ଶ୍ରମିକ ସଂଗଠନ ‘ଏଆଇଟିୟୁସି’ର ଶ୍ୟାମସୁନ୍ଦର ଜେନା, ଜୟନ୍ତ ଦାସ, ‘ସିଆଇଟିୟୁ’ରୁ ରାଜକିଶୋର ଲେଙ୍କା, ନିର୍ମଳ ନାୟକ, ଈଷାଣୀ ଷଡ଼ଙ୍ଗୀ, ଆଇଏନଟିୟୁସିରୁ ସୁରେଶ ଚନ୍ଦ୍ର ବେହେରା, ବିକାଶ ଦାସ, ବାସନ୍ତି ସାମଲ, ‘ଏଆଇୟୁଟିୟୁସି’ରୁ ରବୀନ୍ଦ୍ର ବେହେରା, ପ୍ରଶାନ୍ତ ଦାସ, ଏଚଏମଏସରୁ ଅରୁଣ କୁମାର ସ୍ୱାଇଁ, ଗଦାଧର ପ୍ରଧାନ, ପୀତାମ୍ବର ମାଝି, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, କୃଷକ ସଂଗଠନରୁ ଅରୁଣ ଜେନାଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଦୀପ ବେହେରା, ଯଶୋଦା ନନ୍ଦନ ଆସ, ପ୍ରତିଭା ପାଲ୍‌, ମୋହିନୀ ମୋହନ ପରିଡ଼ା, ଆବିଦ ଖାଁ, ମୃତ୍ୟୁଞ୍ଜୟ ପ୍ରଧାନ, ରାଜେନ୍ଦ୍ର ପାତ୍ର, ପରମେଶ୍ୱର ପାତ୍ର, ଭରତ ଚନ୍ଦ୍ର ସେଠୀ, ସୁଦର୍ଶନ ପୁଟି, ନାରୀନେତ୍ରୀ ବନ୍ଦନା ବିଶ୍ୱାସ, ବସ୍ତିବାସିନ୍ଦା ସଂଘ ସଭାପତି ବେଣୁଧର ବାରିକ, ଯତୀନ ପାତ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ସୁହାଗୀ ମାଝୀ, ପୀତାମ୍ବର ମାଝୀ, ଶଶିକାନ୍ତ ବେହେରା, ସନ୍ତୋଷ ରଣା ପ୍ରମୁଖ ନେତୃତ୍ୱ ନେଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହର ମଧ୍ୟରେ ବୁଲିବା ସହିତ ଅଧିକାରୀମାନେ ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ