ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଉତ୍କଳ ପ୍ରତିଭା : ସିନେ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆନ୍ଧ୍ରପଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେବା ସହ ଅନୁରୋଧ କରିଛନ୍ତି । ଆଜି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା କଳାକାରମାନଙ୍କ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଆ ଜାତିର ଗର୍ବିତ ପରମ୍ପରା ସମଗ୍ର ବିଶ୍ୱବିଦିତ । ଇଂରେଜ ସରକାର ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଏହି ବୀରତ୍ୱପୂର୍ଣ୍ଣ ରକ୍ତାକ୍ତ ସଂଗ୍ରାମର ସ୍ମୃତିକୁ ପ୍ରତ୍ୟେକ ଓଡ଼ିଆ ମନେ ପକାଇବା ସହିତ ନିଜ ମାଟି ଓ ମାତୃଭାଷା ପ୍ରତି ମମତାବୋଧ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା ଅଭିଯାନର’ର ଲୋଗୋକୁ ଉନ୍ମୋଚନ କରି ଶ୍ରୀ ହରିଚନ୍ଦନ କହିଲେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ଜନିତ ଯେଉଁ ସମସ୍ୟା ଦେଖା ଦେଇଛି ସେଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ । ଏହି ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ପୂର୍ବତନ କେନ୍ଦ୍ର ସାହିତ୍ୟ ଏକାଦେମୀ ସଭାପତି ପଦ୍ମ ଭୂଷଣ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗଦେଇ ଆମର ପୂର୍ବଜ ସାହିତ୍ୟିକ କାହ୍ନୁଚରଣ ମହାନ୍ତି, କାଳନ୍ଦୀ ପାଣିଗ୍ରାହୀ ଆଦିଙ୍କର କୃତିକୁ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ନିମନ୍ତେ ମତ ରଖିଥିଲେ । ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ପ୍ରତ୍ୟେକ ଓଡ଼ିଆ ନିଜ ଜାତିର ଇତିହାସକୁ ମନେ ପକାଇ ଆଗକୁ ନିଜର ସ୍ୱାଭିମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ବିଶ୍ୱର ପରିବେଶଜନିତ ସଙ୍କଟକୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଆଚିଭର ଫାଉଣ୍ଡେସନର ସଭାପତି ଡଃ ଅଶୋକ ସୁନ୍ଦରାୟ, ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜିକା ବିନି ସାମଲ, ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉତ୍କଳ ଜନନୀର ବୀରତ୍ୱପୂର୍ଣ୍ଣ ଗାଥା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡଃ ସୁଭାଷ ଚନ୍ଦ୍ର ନାୟକ, ସମାଜସେବୀ ଓ ଶିକ୍ଷାବିତ୍ ଲାୟନ୍ସ ସ୍ମୃତିସୁଧା ନାୟକ, ଶିକ୍ଷାବିତ୍ ଡଃ ପତିତପାବନ ପଣ୍ଡା, ସକାଳ ଖବରକାଗଜର ସାମ୍ବାଦିକ ଅନୁରାଧା ବାରିକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ନମ୍ରତା ସିଂହଦେଓ, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତୃପ୍ତି ସାହୁ, ଚଳଚ୍ଚିତ୍ର ଧାରାବାହିକ ଅଭିନେତ୍ରୀ ଆଲିସା ବ୍ରହ୍ମା, ଧାରାରବାହିକ ଅଭିନେତ୍ରୀ ମାନସୀ ପାଲ, ସ୍ନିଗ୍ଧା, ଅଭିନେତା ନୀଲ୍ ପଣ୍ଡା, ସାମ୍ବାଦିକ ସୁସ୍ମିତା ମିଶ୍ର ଓ ଚଳିତବର୍ଷର ଶ୍ରେଷ୍ଠ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରଯୋଜିକା ଭାବେ ବିନି ସାମଲଙ୍କୁ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ