ଚନ୍ଦ୍ରଗିରିରେ ଓଡ଼ିଶା ଡ୍ରାଇଭର ମହାସଂଘର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ଚନ୍ଦ୍ରଗିରି ହାଟପଦାଠାରେ ଓଡ଼ିଶା ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ଡ୍ରାଇଭର ସଂଘର ଗାଡ଼ି ଚାଳକ ମାନେ ଯୋଗ ଦେଇଥିଲେ। କରୋନା ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ କର୍ମଚାରୀଙ୍କୁ କରୋନା ଯୋଦ୍ଧାର ଆଖ୍ୟା ପ୍ରଦାନ କରିଥିବା ବେଳେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ଡ୍ରାଇଭର ମାନଙ୍କୁ ଉଭୟ ଶାସିତ ସରକାର ଅଣଦେଖା କଲେ। ଡ୍ରାଇଭର ମାନେ କରୋନା ସମୟରେ ରାଜ୍ୟ ସରକାରଙ୍କୁ କିଛି ଆର୍ଥୀକ ସାହାଯ୍ୟ କରିବା ପାଇଁ ବହୁବାର ଅନୁରୋଧ କଲେ ତଥାପି ସେମାନଙ୍କ ଆଶା ରାଜ୍ୟ ସରକାର ପୂରଣ କଲେନି। ସେମାନେ ବହୁ ଦୁଃଖ କଷ୍ଟରେ ପରିବାର ଭରଣପୋଷଣ କଲେ । ଏହାକୁ ଦୃଷ୍ଟିରେ ରଖି କରୋନା ସମୟରେ ଓଡିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମଣ୍ଡେଲ (ଅଜୁ ଭାଇ ) ଚନ୍ଦ୍ରଗିରିରେ ଅନୁଷ୍ଠିତ ଗଜପତି ଜିଲ୍ଲା ଡ୍ରାଇଭର ସଂଘର ବୈଠକରେ ଯୋଗ ଦେଇ ଏହି ସଂଘ ଗଠନ କରିଥିବା କହିଛନ୍ତି। ଦକ୍ଷିଣ ଓଡ଼ିଶା ଗ୍ରସ୍ତରେ ବାହାରି ଥିବା ଶ୍ରୀ ମଣ୍ଡେଲ ସୋମବାର ପୂର୍ବାହ୍ନରେ ଅଡବାରେ ପହଞ୍ଚିଥିଲେ।ସେଠାରୁ ତାଙ୍କୁ ମୋହନା ଡ୍ରାଇଭର ସଂଘ ଓ ଜିଲ୍ଲାର ଅନ୍ୟାନ୍ୟ ସଂଘର କର୍ମକର୍ତ୍ତାମାନେ ଫୁଲମାଳ ଦେଇ ପାଛୋଟି ମୋହନା ଏକ ଚାଲିରେ ଆଣି ଚନ୍ଦ୍ରଗିରିର ହାଟପଦାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘ ପକ୍ଷରୁ ୧୧ଟି ଦାବୀ କିଛି ମାସ ପୂର୍ବେ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରାଯାଇଥିଲା । ସେଥିମଧ୍ୟରୁ ୮ଟି ଦାବୀ ଯଥାର୍ଥ ବୋଲି ରାଜ୍ୟ ସରକାର କହିବା ସହିତ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତାହା ପୂରଣ ହୋଇ ନ ଥିବାରୁ ସଂଘରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଯଥା ଶୀଘ୍ର ସମସ୍ତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘର କର୍ମଚାରୀମାନେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ।ଏହି ବୈଠକରେ ଓଡ଼ିଶା ଡ୍ରାଇଭର ସଂଘର ଉପସଭାପତି ସୁମନ ଆଲଟିଆ, ଜିଲ୍ଲା ସଭାପତି ପରିଚ୍ଛା ମଧୁସାଗର, ମୋହନା ସଂଘର ସଭାପତି ବିଜୟ ବେହେରଦଳାଇ, ସଂଯୋଜକ ରଞ୍ଜନ ଜାନୀ, କୋଷାଧ୍ଯକ୍ଷ ବାବୁଲି ଗୌଡଙ୍କ ସମେତ ବହୁ ଡ୍ରାଇଭର ଯୋଗ ଦେଇଥିଲେ।