ମାଷ୍ଟର ବଡି ବିଲଡିଂ ଚମ୍ପିଆନ ତରୁଣ ଚାଟାର୍ଜୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା) :ପଣ୍ଡିଚେରୀଠାରେ ଅନୁଷ୍ଠିତ ସର୍ବଭାରତୀୟ ମାଷ୍ଟର ବଡି ବିଲଡିଂ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବାଲେଶ୍ୱରର ତରୁଣ ଚାଟାର୍ଜୀଙ୍କୁ ଜିଲା ବଡି ବିଲଡିଂ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସହରର ରାଜା ଫିଟନେସ ୱାର୍ଲ୍ଡ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ୬୦ବର୍ଷର ଉର୍ଦ୍ଧ୍ୱ ବର୍ଗରେ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଶ୍ରୀ ଚାଟାର୍ଜୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶ୍ରୀ ଚାଟାର୍ଜୀଙ୍କ ଏହି ସଫଳତା ବାଲେଶ୍ୱର ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଗୌରବ ହୋଇଥିବା ବେଳେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ହେବ ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଏଥି ସହିତ ବାଲେଶ୍ୱର ସହରର କ୍ରୀଡ଼ା ଭିତ୍ତିଭୂମି ବିକାଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଧାୟକ ଶ୍ରୀ ଦାସ ସୂଚନା ଦେଇଥିଲେ । ବାଲେଶ୍ୱର ଜିଲା ବଡି ବିଲଡିଂ ଆସୋସିଏସନର ସଭାପତି ବସନ୍ତ ମହାନ୍ତିଙ୍କ ପୌରହିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବୀ ଅଜୟ କୁମାର ବିଶ୍ୱାଳ, ସଂଗଠନର କୋଷାଧ୍ୟକ୍ଷ ସାଦ୍ଦିକ ଅଲ୍ଲୀ, ରାଜା ଫିଟନେସ ୱାର୍ଲ୍ଡର ଚେୟାରମ୍ୟାନ ତଥା ଶିଳ୍ପଦ୍ୟୋଗୀ ରାଜେନ୍ଦ୍ର ସାହୁ ଓ ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଣ୍ଣପଦକ ବିଜେତା ଶ୍ରୀ ଚାଟାର୍ଜୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ସର୍ବଭାରତୀୟ ସ୍ତରରେ ବିଜୟୀ ହେବା ପରେ ଶ୍ରୀ ଚାଟାର୍ଜୀ ଜୁଲାଇ ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆସିଆନ୍ ମାଷ୍ଟର୍ସ ବଡି ବିଲଡିଂ ଚମ୍ପଆନସିପରେ ଅଂଶଗ୍ରହଣ ପାଇଁ ମିଆଁମାର ଯାଉଥିବାରୁ ଅତିଥିମାନେ ତାଙ୍କର ସଫଳ ଯାତ୍ରା କାମନା କରିଥିଲେ । ଆସୋସିଏସନର ସମ୍ପାଦକ ମନୋଜ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପ-ସଭାପତି ପ୍ରଦୀପ ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସହରର ବଡି ବିଲଡିଂ ଅଭ୍ୟାସ କରୁଥିବା ଯୁବଗୋଷ୍ଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇ ଶ୍ରୀ ଚାଟାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ