ଶ୍ରୀରାମ ଚେତନା ଜାଗରଣ ମଞ୍ଚର ବିଶାଳ ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା) :-ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମ ତିଥିରେ ବାଲେଶ୍ୱରର ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ବିଶାଳ ପଦଯାତ୍ରା ଶାନ୍ତିଶୃଙ୍ଖଳାର ସହ ରବିବାର ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ରାମଭକ୍ତଙ୍କ ଗହଣରେ ଏହି ଶୋଭାଯାତ୍ରା ସ୍ଥାନୀୟ ପରମିଟ ପଡ଼ିଆରୁ ବାହାରି ସହର ପରିକ୍ରମା କରିଥିଲା । ସକାଳେ ପଡ଼ିଆରେ ପୂଜାର୍ଚ୍ଚନା ସହ ସାମୂହିକ ହନୁମାନ ଚାଳିଶା ପାଠ ପରେ ଆରମ୍ଭ ହୋଇଥିଲା ପଦଯାତ୍ରା । ଏହି ଶୋଭାଯାତ୍ରା ସହରର ଏଡିଏମଛକ, ଷ୍ଟେସନ, ଫାଣ୍ଡିଛକ, ଚିଡିଆପୋଲ, ଗୋପାଳଗାଁ, ସୁଏଲପୁର, ଦାମୋଦରପୁର, ବାରବାଟୀ, ମଣ୍ଡଳବଜାର, ଟାଉନଥାନା, ଗୋଳାପୋଖରୀ ଛକ, ସିନେମାଛକ, ଅତିକ୍ରମ କରି ପୁନର୍ବାର ପରମିଟ ପଡ଼ିଆଠାରେ ପହଞ୍ଚିଥିଲା । ବାଲେଶ୍ୱର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ୨୦ ହଜାରରୁ ରାମଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ଜୟ ଶ୍ରୀରାମ ଧ୍ୱନି ସାଙ୍ଗକୁ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସମଗ୍ର ବାଲେଶ୍ୱର ସହର ରାମମୟ ହୋଇ ଉଠିଥିଲା । ଏହି ଶୋଭଯାତ୍ରାରେ ଭଦ୍ରକ, ବୈଶିଙ୍ଗା, ଢେଙ୍କାନାଳ, ପୁରୀ, ବ୍ରହ୍ମପୁର ଆଦି ଅଂଚଳରୁ ପ୍ରଖ୍ୟାତ ବାଦ୍ୟଦଳଙ୍କ ସମେତ ବାଲେଶ୍ୱରର ଏକାଧିକ ସଂକୀର୍ତ୍ତନ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । ଶଙ୍ଖଧ୍ୱନି, ମୃଦଙ୍ଗ, ଢୋଲ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟରେ କମ୍ପି ଉଠିଥିଲା ବାଲେଶ୍ୱର ସହର । ଶୋଭାଯାତ୍ରା ଯାଉଥିବା ବେଳେ ବିଭିନ୍ନ ପାରମ୍ପାରିକ ଦଳ ବାଦ୍ୟ-ନୃତ୍ୟ ପ୍ରଦର୍ଶନ କରିଥିଲେ । ଛୋଟ ଛୋଟ ପିଲାମାନେ ରାମ ଦରବାର ବେଶରେ ସଜ୍ଜିତ ହୋଇଥିବା ବେଳେ ବିଭିନ୍ନ ବେଶ ପୋଷାକରେ ଯୁବକମାନେ ଖେଳ ପ୍ରଦର୍ଶନ କରିଥିଲେ । ପିଲାଠାରୁ ବୁଢ଼ା ଯାଏ ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଥିଲା ଅପୁର୍ବ ଉନ୍ମାଦନା । ରାମନାମ ଉଚ୍ଚାରଣ ସାଙ୍ଗକୁ ଘଣ୍ଟଘଣ୍ଟା, ମୃଦଙ୍ଗ, ଢୋଲ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ସହରର ରାସ୍ତାଘାଟ । ଏହି ଶୋଭାଯାତ୍ରାରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ବିଜେପି ଜିଲାସଭାପତି ଉମାକାନ୍ତ ମହାପାତ୍ର, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ, ଯୁବ ନେତା ବିକ୍ରମ ପଣ୍ଡା ପ୍ରମୁଖ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହିତ ଭାଇଚାରାର ସହର ବାଲେଶ୍ୱରରେ ଶ୍ରୀରାମନବମୀ ଉତ୍ସବକୁ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନେତାମାନେ ଆହ୍ୱାନ ଦେଇଥିଲେ । ଶୋଭାଯାତ୍ରାରେ ଯାଉଥିବା ରାମଭକ୍ତଙ୍କ ସେବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାର ଛକମାନଙ୍କରେ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଥିଲା । ଗ୍ରୀଷ୍ମଉତ୍ତାପ ସତ୍ତ୍ୱେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଲୋକଙ୍କ ଉପର ପାଣି ସିଂଚନ କରାଯାଇଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶୋଭାଯାତ୍ରା ଯାଉଥିବା ରାସ୍ତାର ପ୍ରତି ଛକରେ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ । ବିଭିନ୍ନ ଥାନାର ଅଧିକାରୀମାନେ ଏକାଧିକ ମୋବାଇଲ ଗାଡ଼ିରେ ପହରା ଦେବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ