ପାରଳା ବାସନ୍ତି ଦୁର୍ଗା ପୂଜା କମିଟି ତରଫରୁ ଅନ୍ନଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଗୁରୁ ସାହିର ଭବାନୀ ଛକ ଠାରେ ମାଁ ବାସନ୍ତି ଦୁର୍ଗାପୂଜା କମିଟି ତରଫରୁ ଆଜି ଅନ୍ନଦାନ କରାଯାଇଥିବାର ଜଣାପଡିଛି । ଏହି ପୂଜା ଗତ ଗୁରୁବାର ଦିନ ଆରମ୍ଭ ହୋଇ ଆଜି ସୋମବାର ୫ମ ଦିବସରେ ପ୍ରାୟ ୩୫୦୦ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଅନ୍ନ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା ହୋଇଥିଲା । ସୂଚନା ଯୋଗ୍ୟ ଯେ, ମାଁ ବାସନ୍ତି ଦୁର୍ଗା ପୂଜା ପ୍ରତି ୧୨ବର୍ଷକୁ ଥରେ ପୂଜା ହୋଇଥାଏ । ଚୈତ୍ରମାସର ବସନ୍ତ ଋତୁରେ ମା ବାସନ୍ତିଙ୍କ ପୂଜା ପାଇଥାନ୍ତି । ଏହାକୁ ବାସନ୍ତି ଉତ୍ସବ ଭାବେ ପାଳନ କରାଯାଇଥାଏ । ଅର୍ଥାତ ୧୨ବର୍ଷକୁ ଥରେ ମାଁ ବାସନ୍ତିଙ୍କ ଉତ୍ସବ ପଡିଥାଏ । ଏହି ପରିପ୍ରେକ୍ଷୀରେ ପାରଳା ସହରର ରାଜଗୁରୁ ସାହି ଭବାନୀ ଛକ ଠାରେ ଗତ ୪୮ବର୍ଷ ଧରି ହେଉଥିବା ମାଁ ଦୁର୍ଗାଙ୍କ ପୂଜା ମଣ୍ଡପରେ ଚଳିତ ଥର ୪ର୍ଥ ତଥା ଏକମାତ୍ର ବାସନ୍ତି ଉତ୍ସବ ଅନୁଷ୍ଠିତ ହେଉଅଛି । ମାଁଙ୍କର ଏହି ବାସନ୍ତିକ ଉତ୍ସବ ଅନ୍ନ ଦାନରେ ପାରଳାଖେମୁଣ୍ଡି ସହର ବ୍ୟତୀତ ଆଖପାଖ ଅଞ୍ଚଳରୁ ଭକ୍ତ ବା ଶ୍ରଦ୍ଧାଳୁମାନେ ସାମିଲ ହୋଇ ମାଙ୍କ ଦର୍ଶନ କରିବା ସହ ଅନ୍ନ ପ୍ରସାଦ ସେବନ କରିଥିଲେ । ଗତକାଲି ପବିତ୍ର ନବମୀରେ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସନ୍ତଷ କର, ଜଗନ୍ନାଥ ପଣ୍ଡା ପ୍ରମୁଖ ପୂଜକ ପୂଜାର୍ଚ୍ଚନା କରୁଥିବା ବେଳେ ପୂଜାକମିଟିର ସଭାପତି ରାମଚନ୍ଦ୍ର ମହାପାତ୍ର, ନରେଶ ମହାରଣା, ବିଜୟ ପ୍ରଧାନ, ଖଲିବରାଡ, ରମେଶ ମହାରଣା ପ୍ରମୁଖଙ୍କ ସହ ଅଞ୍ଚଳବାସୀ ପରିଚାଳନା ଓ ସହଯୋଗ କରୁଛନ୍ତି ।


