କ୍ଷେତ୍ରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ନିମନ୍ତେ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଯାପିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ନିମନ୍ତେ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଯାପିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ପ୍ରଫୁଲ୍ଲ କୁମାର ପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଡ଼କ୍ଟର ଜଗନ୍ ମୋହନ ମହାପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଡ଼. ସତୀଶ ପ୍ରସାଦ ନାୟକ ମଞ୍ଚାସୀନ ଥିବାବେଳେ ବରିଷ୍ଠ ଅଧ୍ୟାପକ ଡ଼. ହୃଷିକେଶ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ସୌମ୍ୟାଶ୍ରୀ ନନ୍ଦୀ ବିବରଣୀ ପାଠ କରିଥିଲେ। ଛାତ୍ରୀଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ସରକାରଙ୍କ ଏକ ଭଲ ପଦକ୍ଷେପ। ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ସମସ୍ତ ଛାତ୍ରୀ ନିଜ ମାନସିକ ସ୍ଥିତି ସଦୃଢ ରଖିବାକୁ ମୁଖ୍ୟ ଅତିଥି ଡ଼କ୍ଟର ଜଗନ୍ ମୋହନ ମହାପାତ୍ର କହିଥିଲେ। ଷ୍ଟେନ୍ଥ ଓ ଷ୍ଟେମିନା ଉଭୟ ସହଯୋଗରେ ଜଣେ ବ୍ୟକ୍ତି ସୁରକ୍ଷିତ ରହିପାରିବ। ଶିକ୍ଷାକୁ ଅଭ୍ୟାସରେ ପରିଣତ କରିବାକୁ ସେ ଆହ୍ବାନ ଦେବା ସହ ଆତ୍ମ ସୁରକ୍ଷା କୌଶଳ ତାଲିମ୍ ସମ୍ପ୍ରସାରଣ ପାଇଁ ଉଦ୍ୟମ କରିବା ଉଚିତ୍ ବୋଲି କହିଥିଲେ । ପରିବର୍ତ୍ତିତ ପେକ୍ଷାପଟ୍ଟରେ ଛାତ୍ରୀମାନେ ସ୍ଵାବଲମ୍ବୀ ହେବା ସହିତ ଆତ୍ମରକ୍ଷାର ବିବିଧ କୌଶଳ ଆହରଣ କରିବା ଏକାନ୍ତ ଆବଶ୍ୟକ ବୋଲି ମଞ୍ଚାସୀନ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଶିବିର 8ଦିନ ଚାଲୁ ରହିଥିଲା। ରେସମା ଓ ସାକମ୍ବରୀ ଶିବିର ପ୍ରଶିକ୍ଷିକା ଭାବେ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହି ଅବସରରେ ମାଷ୍ଟର ଟ୍ରେନ୍ରଙ୍କ ସମେତ ଆତ୍ମ କୌଶଳ ତାଲିମ୍ ନେଇଥିବା 60ଜଣ ଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସାର୍ଟିଫିକେଟ୍ ଓ କୌଶଳ ସମ୍ପର୍କିତ ଶିକ୍ଷା ପୁସ୍ତକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ରେଡ଼୍ କ୍ରସର ପରାମର୍ଶଦାତା ବିଜୟ କୁମାର ଖଟେଇ, ବାବୁଲା କୁମାର ନାୟକ, ଏସ୍. ଭେଙ୍କଟରାଓ ରେଡ଼ି, ଧନଲକ୍ଷ୍ମୀ ପଟ୍ଟନାୟକ, ମନୀଷା ଦେଓ, ସ୍ଵପ୍ନାରାଣୀ ସାହୁ, କାହ୍ନୁଚରଣ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରୀ ଶିବାନୀ ସାହୁ ପ୍ରଶିକ୍ଷଣ ସମୟର ଅନୁଭୂତି ସମ୍ପର୍କରେ କହିଥିଲେ ।