ରାମେଶ୍ଵର ବ୍ଳକ୍ ବିଜେଡି଼ ସଭାପତି ଏବଂ ସନ୍ତୋଷ ସାଂସଦ ପ୍ରତିନିଧି ମନୋନୀତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ବିଜୁ ବାବୁଙ୍କ 25 ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଏବଂ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଜେଡ଼ିର ଦୁଇ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା I ବ୍ଳକ୍ ବିଜେଡ଼ି ସମ୍ପାଦକ ତଥା ବଡ଼ବୋରସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ରଙ୍କୁ ବ୍ଳକ୍ ବିଜେଡ଼ି ସଭାପତି ଏବଂ ପୂର୍ବତନ ସରପଞ୍ଚ ପ୍ରତିନିଧି ତଥା ଯୁବ ଆଇନଜୀବୀ ସନ୍ତୋଷ କୁମାର ସ୍ଵାଇଁଙ୍କୁ ସାଂସଦ ପ୍ରତିନିଧି ଭାବେ ବିଧାୟକ ଶ୍ରୀ ସ୍ୱାଇଁ ଘୋଷଣା କରିଥିଲେ I ପୂର୍ବରୁ ବେଲଗୁଣ୍ଠା ବ୍ଳକ୍ ବିଜେଡ଼ି ସଭାପତି ଏବଂ ସାଂସଦ ପ୍ରତିନିଧି ଭାବେ ବର୍ତ୍ତମାନ ବ୍ଳକ୍ ଅଧ୍ୟକ୍ଷ ଭାବେ ନିବାର୍ଚିତ ହୋଇଥିବା ପ୍ରଶାନ୍ତ ନାୟକ ଦାୟିତ୍ୱ ତୁଲାଉଥିଲେ I କିନ୍ତୁ ବର୍ତ୍ତମାନ ସେ ବ୍ଳକ୍ ଅଧ୍ୟକ୍ଷ ପଦ ସହିତ ଅନ୍ୟ ଦୁଇ ପଦବୀ ସମ୍ଭାଳିବା ଶ୍ରୀ ନାୟକଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲା I ତେଣୁ ଏହି ଦୁଇ ପଦବୀ ଅନ୍ୟକୁ ଦେବାପାଇଁ ଅଧ୍ୟକ୍ଷ ଶ୍ରୀ ନାୟକ ବିଧାୟକଙ୍କୁ ଅନୁରୋଧ କରିଥିଲେ I ପ୍ରଶାନ୍ତଙ୍କ ଅନୁରୋଧକ୍ରମେ ଆଜି ବିଧାୟକ ଶ୍ରୀ ସ୍ୱାଇଁ ରାମେଶ୍ଵରଙ୍କୁ ବ୍ଳକ୍ ବିଜେଡ଼ି ସଭାପତି ଏବଂ ସନ୍ତୋଷଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ କରିଥିଲେ I ଉଭୟ କର୍ମକର୍ତ୍ତାଙ୍କୁ ଆଜି ବ୍ଳକ୍ ବିଜେଡ଼ି ପକ୍ଷରୁ ସ୍ୱାଗତ କରାଯାଇଛି I


