ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଗଜପତିର ମୋନିକା ପଣ୍ଡା ହେଲେ ୨ୟ ରନର୍ସ ଅପ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଗଜପତିର ମୋନିକା ପଣ୍ଡା ୨ୟ ରନର୍ସ ଅପ୍ ଭାବେ ସଫଳତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଅନ୍ଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରେ ମୋଟ ୫୨ଜଣ ଅଂଶ ଗ୍ରହଣ କରିଥିବା ବେଳେ ଓଡିଶାର ୨ଜଣ ପ୍ରତିଯୋଗି ଥିଲେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିବାସୀ ପ୍ରତାପ ଚନ୍ଦ୍ର ପଣ୍ଡା ଓ ରଶ୍ମିତା ପଣ୍ଡାଙ୍କ ଏକମାତ୍ର ଝିଅ ମୋନିକା ପଣ୍ଡା ପିଲାଟି ବେଳରୁ ଜଣେ ନୃତ୍ୟଙ୍ଗନା ହେବାର ଲକ୍ଷ୍ୟ ରଖିଥିଲେ । ଏଭଳି ଆଗ୍ରହକୁ ଉଭୟେ ପିତା ମାତା ମୋନିକାଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି କହିଛନ୍ତି । ଫଳସ୍ୱରୂପ ଆଜି ମୋନିକା ୨ୟ ରନର୍ସ ଅପ୍ରେ ଥିଲେ ମଧ୍ୟ ସଫଳତା ହାସଲ କରିଛନ୍ତି । ଗ୍ଲାମ ଗାଇଡେନ୍ସ ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ସେ ଆବେଦନ କରିଥିଲେ । ଏହାପରେ ସେଠାରେ କ୍ୱାଲିଫାଇ ହେବାପରେ ଅନ୍ଲାଇନ୍ ମାଧ୍ୟମରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ୨ୟ ରନର୍ସ ଅପ୍ ଭାବେ ଘୋଷଣା କରିଛି ପ୍ରତିଯୋଗିତାର ଆୟୋଜକ ଗ୍ଲାମ ଗାଇଡେନ୍ସ । ଏବାବଦରେ ଆୟୋଜକଙ୍କ ତରଫରୁ ମାନପତ୍ର, ଉପଢୌକନ, ୨ୟ ରନର୍ସ ଅପ୍ ମୁକୁଟ ଆଦି ପ୍ରେରିତ କରିଥିବାର କହିଛନ୍ତି ମୋନିକା । ଏହି ସଫଳତା ପାଇଁ ସେ ବେଶ ଖୁସି ଥିବା ଏବଂ ନିଜ ପିତାମାତା ଓ ପରିବାର ବର୍ଗଙ୍କୁ ଏହି ଶ୍ରେୟ ଦେଇଥିବାର ଜଣାଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଅଭିନେତ୍ରୀ ହେବାର ଆଶା ବାନ୍ଧିଥିବା ବେଳେ ପାଠପଢାରେ ମଧ୍ୟ ବେଶ ସମୟ ଦେଉଥିବାର ଜଣାଇଛନ୍ତି । ଏଭଳି ସଫଳତା ହାସଲ କରିଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।


