କାମ ନକରି ରାସ୍ତା ତାଡି ଦେଲେ ଠିକାଦାର
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଅଧିନ ଓଡଙ୍ଗ ଠାରୁ ଭରସିଂପୁର ଭାୟା ମହିଶଡିହା, ସାହାଡାଗଢିଆ, ସୁଆଁପଦା ରାସ୍ତା ନିର୍ମାଣ ବେଳେ ସଂପୃକ୍ତ ଠିକାଦାର କାମ ନକରି ରାସ୍ତାକୁ ତାଡି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୮.୮୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୮ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି । ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ମନୋମୁଖୀ ଭାବେ କାର୍ଯ୍ୟ କରୁଥିବା ଦେଖାଯାଇଛି । ରାସ୍ତାର ବିଭିନ୍ନ ସ୍ଥାନରେ କାମ ନକରି ରାସ୍ତା ତାଡି ଦେବା ଫଳରେ ସାଧାରଣଲୋକେ ଯିବା ଆସିବା କରିବାରେ ସମସ୍ୟା ଭୋଗୁଛନ୍ତି । ଏନେଇ ଗ୍ରାମବାସୀ ମାନେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇବା ପରେ ମଧ୍ୟ କେହି ଶୁଣୁ ନାହାନ୍ତି । କେଉଁଠି ରାସ୍ତା ଖାଲଖମାରେ ଭତ୍ତି ହୋଇଛି ତ କେଉଁଠି ପୁରୁଣା ପକ୍କା ରାସ୍ତା ତାଡି ଦେବା ଫଳରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଶେଷକରି ବାରିକସାହି, ମଳିକସାହି, ଜେନାସାହି, ଦାସ ସାହିର ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ଯାତାୟତ କରିପାରୁନାହାନ୍ତି । ଉକ୍ତ ରାସ୍ତାକୁ ପ୍ରାୟ ୧୦ ଦିନରୁ ଉର୍ଦ୍ଧ୍ୱ ହେବ ତାଡି ଦେବା ପରେ ଏପର୍ଯ୍ୟନ୍ତ କାମ ନହେବାରୁ ସାଧାରଣଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ୨୦୨୧ ମସିହା ଡିସେମ୍ବର ୨୧ରୁ ଆରମ୍ଭ ହୋଇ ୨୦୨୨ ମସିହା ଫେବୃଆରୀ ୨୦ରେ ଶେଷ ହେବାକୁ ଥିବା ବେଳେ ଏହି କାର୍ଯ୍ୟର ଅଗ୍ରଗତି ଠିକ୍ ଭାବେ ହୋଇ ପାରୁନାହିଁ । ଏହି ରାସ୍ତା କାର୍ଯ୍ୟକୁ ସଠିକ୍ ଭାବେ କରିବା ସହିତ ତୁରନ୍ତ ଶେଷ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


