ପାରଳା ପୌରପରିଷଦର କାଉନସିଲ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ସଭାଗୃହ ଠାରେ ପୌରାଧ୍ୟକ୍ଷା ନିର୍ମଳା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ନବନିର୍ବାଚିତ ପୌରଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ସମେତ ଉପାଧ୍ୟକ୍ଷ ଲେଙ୍କା ମଧୁ ଏବଂ ମୋଟ ୧୬ୱାର୍ଡର କାଉନସିଲରମାନଙ୍କୁ ପୌରନିର୍ବାହୀ ଅଧିକାରୀ ଜ୍ଞାନରଂଜନ ମାଝୀଙ୍କ ସମେତ ପୌରଯନ୍ତ୍ରୀ ଓ କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ । ପାରଳାଖେମୁଣ୍ଡି ସହରରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ବୈଠକରେ ମୁଖ୍ୟ ଆଲୋଚନା ହୋଇଥିଲା । ଏହାସହ ସହରକୁ ସଫାସୁତରା ରଖାଯିବା ସହ ପାନୀୟ ଜଳ ଯୋଗାଇବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇପଡିଥିବା ସହରର ସଙ୍କୁରୀ ପଖୋରୀର ଉନ୍ନୟନ କରିବା, ରେଳଷ୍ଟେସନ ନିକଟସ୍ଥ ଧୋବା ତୁଠ ପରିସରରେ ପାର୍କ ନିର୍ମାଣ, ସହରର ଦୂଷିତ ଜଳ ନିଷ୍କାସନ ପାଇଁ ସେରି ସାହି ନିକଟରେ ଥିବା ବଡ କେନାଲକୁ ସଂପ୍ରସାରଣ କରିବା, ଉପଯୁକ୍ତ ହିତାଧିକାରୀଙ୍କୁ ଚୟନ କରି ରେସନ କାର୍ଡ, ପେନସନ ପ୍ରଦାନ କରିବା ଆଦି ଉପରେ ଆଲୋଚନା ହୋଇଥିଲା । ବୈଠକରେ ସାଂସଦ ଶ୍ରୀ ସାହୁ ସୌନ୍ଦର୍ଯ୍ୟକରଣ ନିମନ୍ତେ ଫରେଷ୍ଟଗେଟ ଛକ ଠାରୁ ପୋଲିସ ଷ୍ଟେସନ ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇ ଲାଇଟ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି ମହେନ୍ଦ୍ରତନୟା ନଦୀ ତଟରେ ଥିବା ସ୍ମଶାନଘାଟ ଠାରେ ହାଇମ୍ୟାକ୍ସ ଲାଇଟ ସ୍ଥାପନ ଓ ସେରିସାହି ଠାରେ କମ୍ୟୁନିଟି ହଲର ନିର୍ମାଣ ନିମନ୍ତେ ୬ନମ୍ବର ୱାର୍ଡ କାଉନସିଲର ଜି.ଭେଙ୍କଟରାବଣା ଆଲୋକପାତ କରିଥିଲେ । ସାଂସଦ ଶ୍ରୀ ସାହୁ ସ୍ମଶାନଘାଟ ଠାରେ ତୁରନ୍ତ ହାଇମ୍ୟାକ୍ସ ଲାଇଟର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ । ପରିଷଦର ଆଗାମୀ ବୈଠକରେ ସମସ୍ତ ଲାଇନ ଡିପାର୍ଟମେଣ୍ଟକୁ ଆମନ୍ତ୍ରିତ କରାଯାଇ ସହରର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବାପାଇଁ ନିଷ୍ପତ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ