ଆଜିଠୁ ଆରମ୍ଭ +୨ ବାର୍ଷିକ ପରୀକ୍ଷା ୩ କେନ୍ଦ୍ରରେ ୧୧୯୩ ପରୀକ୍ଷାର୍ଥୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟ ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବାର୍ଷିକ ପରୀକ୍ଷା ଏପ୍ରିଲ ୨୮ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇ ମେ ମାସ ୩୧ ତାରିଖରେ ଶେଷ ହେବ । ଏହାର ସୁପରିଚାଳନା ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ହିଞ୍ଜିଳିକାଟୁ ୩ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ୧୧୯୩ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିବା ସୂଚନା ମିଳିଛି । ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଗୁରୁଣ୍ଠି ସ୍ଥିତ ଶ୍ରୀ ସାଇ କଲେଜର ୯୦ଜଣ ବିଜ୍ଞାନ ଶିକ୍ଷାର୍ଥୀ, ଏସଏମଆଇଟି କଲେଜର ୪୫ଜଣ ବିଜ୍ଞାନ ଶିକ୍ଷାର୍ଥୀ, ହିଞ୍ଜିଳିକାଟୁ କଲେଜର ବିଜ୍ଞାନରେ ୩୧୫, କଳାରେ ୩୨୦ ଓ ବାଣିଜ୍ୟରେ ୨୪୮ ଶିକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ସ୍ଥିରିକୃତ ହୋଇଥିବା ପରୀକ୍ଷା ଅଧିକ୍ଷକ ତଥା ଅଧ୍ୟାପକ ଡଃ, ମାନସ ମୋହନ ବଳିୟାରସିଂଙ୍କ ସୁତ୍ରରୁ ପ୍ରକାଶ । ସେହିପରି ଖାମ୍ବେୟାଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ବିଜ୍ଞାନରେ ୬୧, ବାଣିଜ୍ୟରେ ୧୦୦ ଓ କଳାରେ ୨୩୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ସ୍ଥିରିକୃତ ହୋଇଥିବା ପରୀକ୍ଷା ଅଧିକ୍ଷକ ତଥା ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ପାଣିଗ୍ରାହୀଙ୍କ ସୁତ୍ରରୁ ପ୍ରକାଶ । ଅନୁରୂପ ଭାବେ ଗଣ୍ଡଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର କଳାରେ ୧୮୩ ଜଣ ଶିକ୍ଷାର୍ଥୀ ପରୀକ୍ଷାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି । ପରୀକ୍ଷା ଆରମ୍ଭ ହେବାର ଅନୁନ୍ୟ ୨/୩ ଘଣ୍ଟା ପୂର୍ବରୁ ହବ୍ରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ ଓ ୨ଜଣ ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ସହ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପ୍ରେରଣ କରାଯିବ ଓ ପରୀକ୍ଷା ଶେଷ ହେବା ପରେ ସଂପୃକ୍ତ ପର୍ଯ୍ୟବେକ୍ଷକ ସିଲ୍ଡ ଉତ୍ତରଖାତା ପ୍ୟାକେଟ୍ ହବ୍ ଷ୍ଟ୍ରଙ୍ଗରୁମ୍ରେ ଆଣି ଦାଖଲ କରିବେ ବୋଲି ସୂଚନା ମିଳିଛି ।


