ରାସ୍ତାପାଶ୍ୱର୍ ନାଳ ଖୋଳାରୁ ଭୁଶୁଡ଼ିଲା ଦୋକାନ ଘର

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହରର ଗୋଳାପୋଖରୀ ଠାରୁ ଟାଉନଥାନା ପର୍ଯ୍ୟନ୍ତ ରାସ୍ତା ନବୀକରଣ ଓ ନାଳ ଖୋଳା ବେଳେ ଦୁଇ ମହଲା ଘର ସମେତ ୪ଟି ଦୋକାନ ଭୁଶୁଡ଼ି ପଡ଼ିଛି । ବୁଧବାର ବିଳମ୍ବିତ ରାତିରେ ରାସ୍ତା ପାଶ୍ୱର୍ ନାଳ ଖୋଳା ଏଭଳି ଅଘଟଣ ଘଟିଥିଲା । ଡ୍ରେନ ପାଇଁ ଜେସିବି ଦ୍ୱାରା ରାସ୍ତାପାଶ୍ୱର୍ ମାଟି ଖୋଳା କାର୍ଯ୍ୟ ହୋଇଥିଲା । ଗୁରୁବାର ସମାଳେ ଏହି ରାସ୍ତାର ବାଣ୍ଠିଆ ଜଗନ୍ନାଥ ମନ୍ଦିର ସମ୍ମୁଖ ହିମାଦ୍ରି ଦେଙ୍କ ମାଲିକାନାରେ ଥିବା ୨ଟି ଶିଭମ୍ ଖଣ୍ଡେଲୱାଲ ଓ ଅଶୋକ ଖଣ୍ଡେଲୱାଲଙ୍କର ଗୋଟିଏ ଲେଖାଏଁ ଦୋକାନ ଘର ଭୁଶୁଡ଼ି ଥିବା ଦେଖିବାକୁ ମିଳିଛି । ଏଥିରେ ଏକ ଟ୍ରଙ୍କ ମରାମତି ଦୋକାନ, ଏକ ଗ୍ରୋସେରୀ ହୋଲସେଲ ଦୋକାନ, ଜ୍ୟୋତି ମେଡିସିନ ଦୋକାନ ଓ ଓରିଏଣ୍ଟ ପ୍ରେସ (ଛାପାଖାନା) ଥିଲା । ଏହିସବୁ ଦୋକାନ ଘର ଭୁଶୁଡ଼ିବା ଯୋଗୁଁ କେହି ମୃତାହତ ହୋଇ ନଥିଲେ ବି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଦୋକାନୀମାନେ କହିଛନ୍ତି । ଅନ୍ୟପକ୍ଷରେ ଆଉ ୪ଟି ଦୋକାନ ଘର ମଧ୍ୟ ବିପଦଜନକ ସ୍ଥିତିରେ ଥିବା ଲକ୍ଷ୍ୟ କରାଯାଇଛି । ତେବେ ଦୋକାନ ଘର ଭୁଶୁଡ଼ିବାକୁ ନେଇ ଦୋକାନୀ ତଥା ସ୍ଥାନୀୟ ବାସିନ୍ଦାତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବର ପାଇ ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ପୌରାଧ୍ୟକ୍ଷା ସବିତା ସାହୁ, ପୌର ଉପାଧ୍ୟକ୍ଷ କୈଳାସ ସେଠୀ, କାଉନସିିଲର ଶେଖ ନୌସାଦ, ଶେଖ ଆୟୁୁବ ଓ ସଞ୍ଜୀବ ଦାସ, ଯୁବନେତା ଭାଗବତ ସାହୁ, ଶେଖ ସାକିର, ଶେଖ ରାଜୁ ପ୍ରମୁଖଙ୍କ ସମେତ ପୂର୍ତ ବିଭାଗର ଅଧିକାରୀ, ଏନଡିଆରଏଫ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପୂର୍ତ୍ତ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଏହିଭଳି ବିପଦଜନକ ସ୍ଥିତି ଉପଜିଥିବା ଉତ୍ତେଜିତ ଲୋକେ ଆରୋପ ଉଠାଇଥିଲେ । କ୍ଷତିଗ୍ରସ୍ତ ଦୋକାନୀ ତଥା ଘରମାଲିକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ପୂର୍ବ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଇ ଆକଳନ କ୍ଷୟକ୍ଷତି ଅନୁସାରେ ସହାୟତା ପ୍ରଦାନ ନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଓ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ