ଜିଲ୍ଲା ସଭାପତିଙ୍କଠାରେ ବିଜେଡି କର୍ମୀଙ୍କ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରରେ ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ କ୍ରମଶଃ ଉଗ୍ର ରୂପ ନେବାରେ ଲାଗିଛି । ନିକଟ ଅତୀତରେ ସଦର ବ୍ଲକ ପରିସରରେ ଦଳୀୟ କର୍ମୀ ତଥା ଓଡ଼ଙ୍ଗୀ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ସଦର ବିଧାୟକଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକମାନେ ମାଡ଼ ମାରିବାକୁ ନେଇ ପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀମାନେ ଆଜି ଜିଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୨୨ ତାରିଖରେ ସଦର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେବା ଅବସରରେ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଓଡ଼ଙ୍ଗୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନାରାୟଣ ପାଣିଗ୍ରାହୀ ଜୁଣଗଡିଆ ପାଣି ପ୍ରକଳ୍ପକୁ ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ ଦେଇଥିଲେ । ମାତ୍ର ଦଳ ବିରୋଧୀଙ୍କ କାର୍ଯ୍ୟକ୍ରମରେ ସେ ଯୋଗଦେବେ ନାହିଁ କହିବା ସହ ସେଭଳି କାର୍ଯ୍ୟକ୍ରମ କରାଇ ଦେବେ ନାହିଁ ବୋଲି ବିଧାୟକ ଶ୍ରୀ ଦାସ ଧମକ ଦେଇଥିଲେ । ଉପ-ନିର୍ବାଚନରେ ସେମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଧାୟକଙ୍କୁ ବିଜୟୀରେ ସେମାନେ ସହଯୋଗ କରିଥିଲେ ବି ସେମାନଙ୍କୁ ଦଳ ବିରୋଧୀ ଆଖ୍ୟା ଦେବାକୁ ନେଇ ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ ଉଠାଇଥିଲେ । ତେବେ ବିଧାୟକ ବ୍ଲକ କାର୍ଯ୍ୟାଳୟ ପରିସରରୁ ବାହାରିଯିବା ପରେ ତାଙ୍କ ସମର୍ଥକମାନେ ଶ୍ରୀ ପାଣିଗ୍ରାହୀଙ୍କୁ ଗାଳିଗୁଲଜ ସହ ମାଡ଼ ମଧ୍ୟ ମାରଥିଲେ । ପରେ ତାଙ୍କୁ ସେମାନେ ଜୋର ଜବରଦସ୍ତ ମଟର ସାଇକେଲରେ ବସାଇ ବିଧାୟକଙ୍କ ଘରକୁ ନେଇ ଯାଇଥିଲେ । ସେଠାରେ ମଧ୍ୟ ବିଧାୟକଙ୍କ ଉପସ୍ଥିତିରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଇଙ୍ଗିତରେ ଶ୍ରୀ ପାଣିଗ୍ରାହୀଙ୍କୁ ବିଧାୟକଙ୍କ ସମର୍ଥକମାନେ ମାଡ ମାରିଥିଲେ । ଶ୍ରୀ ପାଣିଗ୍ରାହୀ କୌଣସି ମତେ ସେଠାରୁ ଫେରି ଓଡ଼ଙ୍ଗୀ ସମେତ ସଦର ବ୍ଲକର ଅନ୍ୟ ପଞ୍ଚାୟତର ବିଜୁ ଜନତା ଦଳର କର୍ମୀଙ୍କ ସହ ଆଲୋଚନା ପରେ ବିଧାୟକଙ୍କ ଗୁଣ୍ଡାରାଜ ସମ୍ପର୍କରେ ଜିଲା ସଭାପତିଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କର୍ମୀମାନେ କହିଥିଲେ । ବିଧାୟକଙ୍କ ଜନବିରୋଧି ଓ ଅମାନୁଷିକ କାର୍ଯ୍ୟକଳାପକୁ ବିରୋଧ ସହ ରାଜ୍ୟ ସଭାପତିଙ୍କ ସମେତ ଦଳର ରାଜ୍ୟସ୍ତରୀୟ ନେତାଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ ବୋଲି ସେମାନେ କହିଛନ୍ତି । ଏହାକୁ ନେଇ ସେମାନେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଓ ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲା ସଭାପତି ଶ୍ରୀ ଜେନାଙ୍କୁ ପ୍ରଦାନ ପାଇଁ ଆସିଥିବା କହିଥିଲେ । ସଦର ବିଧାୟକ ଓ ତାଙ୍କ ସମର୍ଥକଙ୍କ ଗୁଣ୍ଡାରାଜ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି ଜଣାଇଥିଲେ । ତେବେ ଏ ସମ୍ପର୍କରେ ସଦର ବିଧାୟକ ଶ୍ରୀ ଦାସଙ୍କୁ ବଦନାମ କରିବା ପାଇଁ ଦଳ ବିରୋଧୀ ଗୋଷ୍ଠୀଙ୍କ ଅପଚେଷ୍ଟା ବୋଲି ସେ କହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ ସମର୍ôଥତ ପ୍ରାର୍ଥୀ ମାତ୍ର ୫ଖଣ୍ଡ ଭୋଟରେ ପରାଜିତ ହୋଇଥିବାରୁ ସେ ନେଇ ଏକ ମାମଲା ଋଜୁ କରିଛନ୍ତି । ଏହି ମାମଲା ଉଠାଇନେବାକୁ ପ୍ରତିପକ୍ଷ ଦଳ ତଥା ବିରୋଧିମାନେ ବାରମ୍ବାର ତାଙ୍କ ଉପରେ ଚାପ ପ୍ରୟୋଗ ସହ ବିଫଳ ହେବା ପରେ ଏହି ଭଳି କୁତ୍ସା ରଟନା ଚଳାଇଛନ୍ତି ବୋଲି ବିଧାୟକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ