ଓକିଲ ସଂଘ ତରଫରୁ ଆଇନ୍ଜୀବୀ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ପୂଣ୍ୟ ଜନ୍ମତିଥି ଅବସରରେ ‘ଆଇନ୍ଜୀବୀ ଦିବସ’ ପାଳିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ବିଚାରପତି ମାନ୍ୟବର ଜଜ୍ ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ଭି. ନରସିଂହ, ଓଡ଼ିଶାର ଆଡ଼ଭୋକେଟ ଜେନେରାଲ ମାନ୍ୟବର ଶ୍ରୀଯୁକ୍ତ ଅଶୋକ କୁମାର ପରିଜା ଏବଂ ଭୁବନେଶ୍ୱର ଜିଲ୍ଲା ସେସନ୍ସ ଜଜ୍ ଶ୍ରୀଯୁକ୍ତ ରାମଶଙ୍କର ହୋତା ସମ୍ମାନିତ ଅତିଥି ଏବଂ ଶ୍ରୀଯୁକ୍ତ ଯୋଗେଶ କୁମାର ସିଂ, ନେସନାଲ ଲ’ ୟୁନିଭରସିଟିରର ପ୍ରଧ୍ୟାପକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଉତ୍ସବ ପ୍ରାରମ୍ଭରେ ମାନ୍ୟବର ଅତିଥିବୃନ୍ଦ ଓକିଲ ସଂଘ ପରିସର ମଧ୍ୟରେ ଥିବା ମଧୁବାବୁ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉକ୍ତ ଉତ୍ସବରେ ୨୦ଜଣ ବରିଷ୍ଠ ଓକିଲଙ୍କୁ ମଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ୯ଜଣ ଆଇନ୍ଜୀବୀମାନଙ୍କୁ ଜନପ୍ରିୟ ଓକିଲ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାବ୍ୟତୀତ ୪୪ଜଣ ଆଇନ୍ଜୀବୀଙ୍କୁ ‘କୋଭିଡ଼ ୱାରିୟର’ ଭାବେ ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବଟିକୁ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ରବିନାରାୟଣ ସାମନ୍ତରାୟ ପୌରହିତ୍ୟ କରିଥିଲେ । ସଂଘର ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଅତିଥି ମଧୁବାବୁଙ୍କ ସ୍ମୃତିଚାରଣ କରି ମଧୁବାବୁଙ୍କୁ ଭାରତ ରତ୍ନ କହିଁକି ଦିଆନଯିବ ବୋଲି ଯୁକ୍ତି ବାଢିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଦିବାକର ମିଶ୍ର, ସହ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କିଶୋର ଦାସ, ଓ ବାର୍ର ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ୧୦୦ରୁ ଉର୍ଦ୍ଧ୍ୱ ଓକିଲ ଉପସ୍ଥିତ ଥିଲେ । ପରିଶେଷରେ ଉପସଭାପତି ଶ୍ରୀ ଅଭିମନ୍ୟୁ ସ୍ୱାଇଁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବଟିକୁ ସଞ୍ଚାଳନ କରିଥିଲେ ଓକିଲ ସଂଘର ଦୁଇ ପୂର୍ବତନ ଉପସଭାପତି ଶ୍ରୀଯୁକ୍ତ ଶିଳଭଦ୍ର ଶାସ୍ତ୍ରୀ ଏବଂ ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ ।