ପ୍ରଥମ ଦିନରେ ୩୦,୨୭୯ଜଣ ମାଟ୍ରିକ ପରୀକ୍ଷା ଦେଲେ

ବାଲେଶ୍ୱର, (ସରୋଜ ପଣ୍ଡା) :-ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଚଳିତବର୍ଷ ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ଭାଷା ଥିବା ବେଳେ ସକାଳ ୮ଟାରୁ ପୂର୍ବାହ୍ଣ ୧୦ ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ପ୍ରତିଦିନ ଗୋଟିଏ ସିଟିଂ ପରୀକ୍ଷା ଥିବା ବେଳେ ପ୍ରଥମ ଦିନ ପରୀକ୍ଷା ବେଶ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମଗ୍ର ବାଲେଶ୍ୱର ଜିଲାରେ ୫୨୧ ହାଇସ୍କୁଲର ୩୨ ହଜାର ୭୬୦ ଜଣ ଦଶମ ଶ୍ରେଣୀର ରେଗୁଲାର ଛାତ୍ରଛାତ୍ରୀ, ୧୦୬୭ ଜଣ ମଧ୍ୟମା ଓ ୭୨୧ଜଣ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଫର୍ମ ପୂରଣ ସହ ଆଡମିଟ କାର୍ଡ଼ ନେଇଥିଲେ । ତେବେ ଆଜି ଜିଲାର ମୋଟ ୨୦୬ଟି କେନ୍ଦ୍ରରେ ୩୦,୨୭୯ ଜଣ ପରୀକ୍ଷା ଦେଇଛନ୍ତି । ଆଜି ମୋଟ ୨ ହଜାର ୪୮୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ଜିଲାରେ ୧୨ଟି ହବରୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ପଠାଯାଇଥିଲା । ପରୀକ୍ଷାରେ କପି ରୋକିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୁତୟନ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୪ଟି ଫ୍ଲାଇଂ ସ୍କ୍ୱାର୍ଡ଼ ସହିତ ୨ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ଦ୍ୱାରା ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ । ତେବେ ପ୍ରଥମ ଦିନରେ କୌଣସି ପିଲାଠାରୁ କପି ଧରାପଡ଼ି ନଥିବା ବେଳେ ସମ୍ପୂର୍ଣ୍ଣ ଶୃଙ୍ଖଳାର ସହ ପରୀକ୍ଷା ଶେଷ ହୋଇଥିବା ଜିଲ୍ଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ପ୍ରକାଶ କରିଛନ୍ତି । ଏଥି ସହିତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ବିଭିନ୍ନ ସମୟରେ ପରୀକ୍ଷା କେନ୍ଦ୍ର ଗୁଡିକ ଯାଞ୍ଚ କରିବେ ବୋଲି ଶ୍ରୀ ସୁତାର ସୂଚନା ଦେଇଛନ୍ତି । ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାର ୫୦ଟି ସ୍କୁଲରେ ସିସିଟିଭି ଲଗାଯାଇଛି । ଅନ୍ୟପକ୍ଷରେ କୋଭିଡ ସଂକ୍ରମଣ ପାଇଁ କଟକଣା ହଟିଥିଲେ ବି ସୁରକ୍ଷା ଦୃଷ୍ଟିକୋଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ଓ ସାନିଟାଇଜେସନ ବ୍ୟବସ୍ଥା କରାଯାଇଛି । ଏପ୍ରିଲ ମାସର ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱିତୀୟ ସିଟିଂ ପରୀକ୍ଷାକୁ ବାତିଲ କରିଥିବା ବେଳେ ପ୍ରତ୍ୟେକ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ ବ୍ୟବସ୍ଥା କରାଯାଇଥିବା ଶ୍ରୀ ସୂତାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ