ଏଲ୍ପିଜି ଦରବୃଦ୍ଧିକୁ ସିପିଆଇ (ଏମ୍ଏଲ୍) ଲିବରେସନର ବିରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଏଲ୍ପିଜି ଦାମ ୫୦ ଟଙ୍କା ବୃଦ୍ଧିକୁ ସି.ପି.ଆଇ (ଏମ୍-ଏଲ୍) ଲିବରେସନ ଘୋର ବିରୋଧ କରୁଛି । ପେଟ୍ରୋଲ, ଡିଜେଲ, ଗ୍ୟାସ୍ର ଦର ବୃଦ୍ଧି ସାମଗ୍ରିକ ଭାବେ ଦେଶର ଦରବୃଦ୍ଧି ପାଇଁ ଦାୟୀ । ‘ଆଚ୍ଛେଦିନ’ ଆସିବାର ସ୍ଲୋଗାନ ଦେଇ କେନ୍ଦ୍ରରେ ବି.ଜେ.ପି ସରକାର ଆସିବା ପରେ କର୍ପୋରେଟ ସଂସ୍ଥାମାନେ ଲୋକଙ୍କୁ ଲୁଟ୍ ପାଇଁ କ୍ଲିନଚିଟ୍ ପାଇଯାଇଛନ୍ତି୍ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନର ଫମ୍ପା ସ୍ଲୋଗାନ ବାସ୍ତବରେ ଇଷ୍ଟଇଣ୍ଡିଆ କମ୍ପାନୀ ଜାଗାରେ ଦେଶରେ ଆଦାନୀ, ଆମ୍ବାନୀ କମ୍ପାନୀ ରାଜ ଚାଲିଛି । ଗ୍ୟାସ୍ ସିଲିଣ୍ଡର ପିଛା ଏକାଥରକେ ୫୦ ଟଙ୍କା ବୃଦ୍ଧି ଗୃହିଣୀ ମାନଙ୍କ ଆଖିରୁ ବିନା ଧୂଆଁରେ ଲୁହର ବନ୍ୟା ଛୁଟାଇବ । ବିଜେପି ଶାସନରେ ଦରବୃଦ୍ଧି, ବେକାରୀ, ଦଙ୍ଗା, ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଉଲଂଘନ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଏହା ବିରୋଧରେ ପ୍ରତିବାଦ ଆନ୍ଦୋଳନ ଜୋରଦାର କରିବାକୁ ଜନଗଣ ଆଗେଇ ଆସିବାକୁ ସିପିଆଇ (ଏମ୍ଏଲ୍) ଲିବରେସନ ଆହ୍ୱାନ କରୁଛି ।


