କଂକ୍ରିଟ କାର୍ଯ୍ୟରେ ବ୍ୟବହାର ହେଉନି ଭାଇବ୍ରେଟର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଯାତାୟତ ଦୃଷ୍ଟିରୁ ଜାତୀୟ ରାଜପଥ ଗୁରୁତ୍ୱ ବହନ କରୁଥିବା ବେଳେ ସେଠାରେ ମଧ୍ୟ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି। ସମ୍ପ୍ରତି ୧୬ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଭଣ୍ଡାରିପୋଖରୀ ବାରିକପୁର ଠାରୁ ଆଖୁଆପଦା ଯାଏଁ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶେଷ କରି ଯଶୋଟିକିରି, ବାରିକପୁର,ପାଳଦା, ଛତାବର ପ୍ରମୁଖ ସ୍ଥାନ ଗୁଡିକରେ ବିଭିନ୍ନ କଂକ୍ରିଟ କାର୍ଯ୍ୟ ଚାଲିଛି। ରାସ୍ତା ପାର୍ଶ୍ୱ ସୁରକ୍ଷା ପ୍ରାଚୀର ସହିତ ଗଳାପୋଲ ଓ ଉଚ୍ଚ କ୍ଷମତାସମ୍ପନ୍ନ ପୋଲ ନିର୍ମାଣ ହେଉଥିବା ବେଳେ ଏଥିରେ ଅଧିକାଂଶ ଭାଇବ୍ରେଟର ବ୍ୟବହାର ହେଉନଥିବା ଦେଖାଯାଉଛି। ଛୋଟ ଓ ମଧ୍ୟମ ସେତୁର ଯେଉଁ ଦୁଇ ପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ନିର୍ମାଣ ହେଉଛି ସେଥିରେ ସାମଗ୍ରୀ ଢଳାଯିବା ପରେ ଭାଇବ୍ରେଟର ମରାଯାଉନାହିଁ। ଏହାସହିତ ସେତୁ ତଳେ ଯେଉଁ କଂକ୍ରିଟ ହେଉଛି ଭାଇବ୍ରେଟର ବିନା କେବଳ କରଣୀରେ ଏହା ନିର୍ମାଣ ହେଉଥିବା ଦେଖାଯାଉଛି। ଆହୁରି ମଧ୍ୟ କଂକ୍ରିଟ ନିର୍ମାଣ ପରେ ପାଣି ଦେବାର ନିୟମ ରହିଥିବା ବେଳେ ତାହା ମଧ୍ୟ ଏଠାରେ ଉଲଂଘନ ହେଉଥିବା ଜଣାପଡିଛି। ଠିକା ସଂସ୍ଥାର ଏଭଳି ମନମୁଖୀ ବେଆଇନ କାର୍ଯ୍ୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାଜପଥ ନିର୍ମାଣର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ନିୟମିତ କାର୍ଯ୍ୟସ୍ଥଳୀ ପରିଦର୍ଶନ କରୁନଥିବାରୁ ଠିକା ସଂସ୍ଥା ଏଭଳି ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।ସ୍ଥାନୀୟ ଲୋକେ ଏଭଳି ବେଆଇନ କାର୍ଯ୍ୟକୁ ଦେଖୁଥିଲେ ସୁଦ୍ଧା କ୍ଷତ୍ରିୟ ଅଧିକାରୀଙ୍କ ବିନା କୌଣସି ଆପତ୍ତି ଅଭିଯୋଗ କରି ପାରୁନାହାନ୍ତି। ଏହା ଉପରେ ଜିଲ୍ଲାପାଳଙ୍କ ସମେତ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।


