ବାଲିପୋଖରୀ ଏସ୍କେପ କାର୍ଯ୍ୟକୁ ବିରୋଧ : ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ଆନ୍ଦୋଳନ ଚେତାବନୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀର ବାଲିପୋଖରୀ ଏସ୍କେପର ଉନ୍ନତିକରଣ କାର୍ଯ୍ୟ ଏବେ ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଏହାକୁ ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି। ସୁରକ୍ଷା କମିଟିର ସୂଚନା ଅନୁସାରେ ନିକଟ ଜଗନ୍ନାଥପ୍ରସାଦ ବାଲି ସୈରାତ ନିଲାମ ପୂର୍ବରୁ ତତ୍କାଳୀନ ଜଳସମ୍ପଦ ବିଭାଗ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ନିର୍ଦେଶକ୍ରମେ ଏକ ବୈଷୟିକ କମିଟି ଗଠନ କରାଯାଇଥିଲା। କମିଟିର ତଥ୍ୟ ଅନୁଯାୟୀ ଜଳସମ୍ପଦ ବିଭାଗ ଏସ୍କେପ ନବୀକରଣ ପାଇଁ ଏସ୍ଟିମେଣ୍ଟକରିବ ବୋଲି ନିର୍ଦେଶ ରହିଥିଲା। ପରିତାପର ବିଷୟ ବିଭାଗ କମିଟିର କୌଣସି କଥାକୁ ଗ୍ରହଣ କରିବା ପରିବର୍ତ୍ତେ ଏକ ପାଖିଆ ଏସ୍ଟିମେଣ୍ଟ ତିଆରି କରିଥିଲା। ଉକ୍ତ ଏସ୍ଟିମେଣ୍ଟ ଅନୁଯାୟୀ ଏବେ କାମ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ବନ୍ୟାସୁରକ୍ଷା କମିଟି ବିରୋଧ କରିବ ବୋଲି ସୂଚନା ଦିଆଯାଇଛି। ପ୍ରସଙ୍ଗ ଅନୁଯାୟୀ ଏବେ ଜଗନ୍ନାଥପ୍ରସାଦ ବାଲି ସୈରାତ ନିଲାମ ହୋଇଥିବା ବେଳେ ଏସ୍କେପ ସଂଲଗ୍ନ ପୁରାତନ ବାଲୁକା ଶଯ୍ୟାରୁ ବାଲି ଉତ୍ତୋଳନ ହେଉଛି। ଏହାଛଡା ନଦୀର ଅପରପାର୍ଶ୍ୱ ଯାଜପୁର ପଟ ମୁହାଣକୁ ସମ୍ପୂର୍ଣ୍ଣ ଖୋଳା ଯାଇଥିବାରୁ ଏହା ଏସ୍କେପ ଉପରେ ଗଭୀର ପ୍ରଭାବ ପକାଇବ ବୋଲି ବନ୍ୟା ସୁରକ୍ଷା କମିଟି ଅଭିଯୋଗ କରିଛି। ସୁତରାଂ ଏସ୍କେପର ଉଚ୍ଚତା ବୃଦ୍ଧି କରିବା ସହ ନଦୀ ବନ୍ଦକୁ ୭ମିଟର ପ୍ରଶସ୍ତିକରଣ କରିବା ପାଇଁ ଆଞ୍ଚଳିକ ବନ୍ୟା ସୁରକ୍ଷା କମିଟି ସୂଚନା ଦେଇଛି। ତେଣୁ ସୁରକ୍ଷା କମିଟି ପରାମର୍ଶ ବିନା ଏସ୍ଟିମେଣ୍ଟ ଅନୁଯାୟୀ ଯେଉଁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଯଦି ଭବିଷ୍ୟତରେ ନଦୀରେ ବନ୍ୟା ଆସେ ତାହେଲେ ଏସ୍କେପ ସମେତ ସଂଲଗ୍ନ ଦୁଇ ପାଖ ନଦୀବନ୍ଧର ଅର୍ଦ୍ଧାଧିକ ଭାଗ ବୈତରଣୀରେ ଲୀନ ହେବ ବୋଲି କୁହାଯାଉଛି। ଏବେ ସୁରକ୍ଷା କମିଟିର ପରାମର୍ଶ ସହିତ ଏସ୍ଟିମେଣ୍ଟକୁ ପରିବର୍ତ୍ତନ କରାଯାଇ କାମ ଆରମ୍ଭ କରିବାକୁ ଚେତାବନୀ ଦିଆଯାଇଛି। ନଚେତ ଆଗାମୀ ଦିନରେ ଏନେଇ ଏକ ଜନ ଆନ୍ଦୋଳନ ଆରମ୍ଭ ହେବ ବୋଲି ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ଆବାହକ ତଥା ବାଲିପୋଖରୀ ସରପଞ୍ଚ ଅକ୍ଷୟ ତ୍ରିପାଠୀ ଓ ସଂଯୋଜକ ନାରାୟଣ ବେହେରା ଜଣାଇଛନ୍ତି ।


