ସେବାଶ୍ରୀ ମହିଳା ସମିତିର ବାର୍ଷିକ ଉତ୍ସବ ଓ ବିଶ୍ୱ ମାତୃଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ୱର୍ଣ୍ଣିମା ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଇଡ଼କଲ ଅଡ଼ିଟୋରିୟମଠାରେ ସେବାଶ୍ରୀ ମହିଳା ସମିତିର ବାର୍ଷିକ ଉତ୍ସବ ଓ ବିଶ୍ୱ ମାତୃଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି, ମହିଳା ଓ ଶିଶୁକଲ୍ୟାଣ ବଭାଗ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ବିଶିଷ୍ଟ ଅତିଥି, ଡ. ତମସାରାଣୀ ଦାସମହାପାତ୍ର ମୁଖ୍ୟବକ୍ତା, ବିଶିଷ୍ଟ ସାହିତ୍ୟିକ ତଥା କଣ୍ଠଶିଳ୍ପୀ ଶ୍ରୀମତୀ ଛନ୍ଦା ମିଶ୍ର ସ୍ୱତନ୍ତ୍ର ଅତିଥି, ବିଶିଷ୍ଟ କବି ଓ ସମାଜସେବୀ ଶ୍ରୀମତୀ ବନ୍ଦନା ପଣ୍ଡା ସମ୍ମାନିତ ଅତିଥି, ସ୍ୱର୍ଣ୍ଣିମା ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀମତୀ ଅନନ୍ୟା ଉପାସନା ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା କହିଲେ ଯେ, ମାଆ ଗୋଟିଏ ଏପରି ନାମ, ଯାହାର କଳନା କରିବା ଅସମ୍ଭବ । ଯିଏ ନିଜେ ସବୁ ଦୁଃଖ କଷ୍ଟ ସହି ନିଜ ସନ୍ତାନମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସର୍ବଦା ଲଢେଇ କରିଥାଏ । ମାଆ ବିନା ସମାଜରେ ତିଷ୍ଠିବା ଅସମ୍ଭବ । ବଡ଼ ବଡ଼ ଅଫିସର ହୁଅନ୍ତୁ, ବା ପ୍ରଶାସନିକ ଅଧିକାରୀ ଅବା ମନ୍ତ୍ରୀ, ପ୍ରତ୍ୟେକ ବ୍ୟକ୍ତି ପଛରେ ମାଆର ଆଶୀର୍ବାଦ ହିଁ ରହିଥାଏ । ପିଲାଟିଏ ଜନ୍ମ ହେବା ପରଠାରୁ ମାଆର ଦାୟିତ୍ୱବୋଧ ବଢିଯାଇଥାଏ । ଗୋଟିଏ ପଟେ ସ୍ୱାମୀଙ୍କର ସେବା ସହିତ ଶାଶୁ, ଶଶୁର ଓ ପରିବାରର ସମସ୍ତ ଦାୟିତ୍ୱ ବହନ କରୁଥିବା ବେଳେ ନିଜ ସନ୍ତାନର ଦାୟିତ୍ୱ ନେବାକୁ ମାଆଟିଏ କେବେ ଭୁଲିନଥାଏ ବୋଲି ବିଶିଷ୍ଟ ଅତିଥି ଶ୍ରୀମତୀ ଦେଓ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁଙ୍କ ସମେତ ୧୫ଜଣ ମହିଳାଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୂଣ୍ୟ ଉତ୍କଳର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସମାଜସେବୀ ଭରତ ବେହେରା, କାଳୀଚରଣ ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ ।


