କେବଳ ଦଣ୍ଡରୁ ବର୍ତ୍ତିବା ପାଇଁ ନୁହେଁ : ‘ହେଲମେଟ’ ଆରୋହୀର ଜୀବନ ରକ୍ଷାକାରୀ ହେଉ
ହିିଞ୍ଜିଳିକାଟୁ , (ଶେଷଦେବ ସାହୁ): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସଂଶୋଧିତ ପରିବହନ ଆଇନ କାର୍ଯ୍ୟକାରୀ କ୍ଷେତ୍ରରେ ଡ଼୍ରାଇଂଭି ଲାଇସେନ୍ସ ସମେତ ସବୁଠି ଟ୍ରାଫିକ ନିୟମକୁ କଡ଼ାକଡ଼ା କାର୍ଯ୍ୟକାରୀ କରାଯାଉଛି । ନିୟମ ଉଲଂଘନକାରୀ ଗାଡ଼ି ଚାଳକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ସହ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ସେମାନଙ୍କୁ ସଚେତନ କରାଯାଉଛି । ତେବେ ଯାଞ୍ଚ ବେଳେ ଦୁଇ ଚକିଆ ଯାନ ଆରୋହୀଙ୍କ ଦୃତ ଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା, ହେଲମେଟ ନପିନ୍ଧିବା, ଗୋଟିଏ ବାଇକ୍ରେ ୩ଜଣ ଯାତ୍ରା କରିବା ପ୍ରଭୃତି ନିୟମ ଉଲଂଘନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଭାଗ ପକ୍ଷରୁ ଏହି ଯାଞ୍ଚ ହେବା ଦ୍ୱାରା ଗଞ୍ଜାମ ଜିଲ୍ଲାର ଅନ୍ୟାନ ସହର ତୁଳନାରେ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣ ଖୁବଶୀଘ୍ର ସଚେତନ ହୋଇଯିବା ଭଳି ଲକ୍ଷ୍ୟ କରାଯାଉଛି । ଟ୍ରାଫିକ୍ ପଏଣ୍ଟ କିମ୍ବା ସହରର କୌଣସି ସ୍ଥାନରେ ପୁଲିସ ପ୍ରଶାସନ ପକ୍ଷରୁ ଗାଡ଼ି ମୋଟର ତନଖି କରାଯାଉଥିବା ସ୍ଥାନରେ ଯାଞ୍ଚରୁ ବର୍ତ୍ତିବା ପାଇଁ ମୋଟର ସାଇକେଲ ଆରୋହୀ ମାନେ ଯେ କୌଣସି ମତେ ହେଲମେଟଟିଏ ଯୋଗାଡ଼ରେ ଲାଗିପଡୁଛନ୍ତି । ଏହାର ସୁଯୋଗ ନେଇ ସହରର ଯେଉଁଠି ସେଇଠି ଛତୁଫୁଟିବା ଭଳି ହେଲମେଟ୍ ଦୋକାନ ଖୋଲାଯାଇଛି । ପୂର୍ବରୁ ସହରରେ ଥିବା ହାତଗଣତି କେତେକ ଦୋକାନକୁ ଛାଡ଼ିଦେଲେ ଅନ୍ୟ କେଉଁଠାରେ ହେଲମେଟ୍ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁନଥିଲା । ହେଲେ ବର୍ତ୍ତମାନ ସହରର ବିଭିନ୍ନ ଛକ ସ୍ଥାନ ସମେତ ସ୍ଥାନୀୟ ସହର ଉପକଣ୍ଠ ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ପ୍ରାୟ ୫୦ରୁ ୧୦୦ ଫୁଟ ବ୍ୟବଧାନରେ ଅସ୍ଥାୟୀ ତଥା ଉଠା ହେଲମେଟ ଦୋକାନ ରହିଥିବା ଦେଖିବାକୁ ମିଳୁଛି । ହେଲମେଟ୍ର କ୍ୱାଲିଟ୍ ଥାଉକି ନଥାଉ, ଏହା ଭାରତର କୌଣସି ଖ୍ୟାତିନାମା କମ୍ପାନୀ ଦ୍ୱାରା ଜୀବନରକ୍ଷାକାରୀ ହେଲମେଟ୍ କି ନୁହେଁ, ଏଥିରେ ଆଇଏସଆଇ ମାର୍କା ଥାଉ କି ନଥାଉ, ସେଥିପ୍ରତି ବାଇକ୍ ଆରୋହୀ ମାନେ ଦୃଷ୍ଟି ଦେଉନଥିବା ଦେଖିବାକୁ ମିଳୁଛି । କେବଳ ଚେକିଂରୁ ବର୍ତ୍ତିବା ସେମାନଙ୍କର ମୂଳ ଉଦ୍ଦେଶ୍ୟ ହୋଇଛି । ଟ୍ରାଫିକ ନିୟମରେ ଦୁଇ ଚକିଆ ଯାନ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକର ପ୍ରକୃତ ଉଦ୍ଦେଶ୍ୟକୁ ଲେକେ ବୁଝୁ ନାହାନ୍ତି । ଏହାକୁ ଜୀବନ ରକ୍ଷା ନୁହେଁ ବରଂ ଅର୍ଥଦଣ୍ଡକୁ ରିହାତି ପାଇଁ ଲେକେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେୟାର ଷ୍ଟାଇଲ ନଷ୍ଟ ହେବା ଓ ଅନ୍ୟକୁ ଦେଖାଇବାର ସୁଯୋଗ ନରହିବା ଯୋଗୁଁ ହେଲମେଟ୍ ପ୍ରତି ସର୍ବଦା ବିମୁଖ ଥିବା ଯୁବଗୋଷ୍ଠୀ ଏବେ ବି ଏହାର ବ୍ୟବହାରକୁ ନେଇ ଅନ୍ଧାର ରହିଥିବା ଲକ୍ଷ୍ୟ କରାଯାଉଛି । ତେବେ ଏ ନେଇ ସଦ୍ୟ ହେଲମେଟ୍ କିଣୁଥିବା କେତେକ ଲୋକଙ୍କୁ ପଚାରିବାରୁ ସେମାନେ ଜୀବନ ରକ୍ଷା ପାଇଁ ଏହାକୁ କ୍ରୟ କରୁଥିବା କହିଥିଲେ । ସ୍ଥାନୀୟ ସହରର ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବିଭିନ୍ନ କିସମର ହେଲମେଟ୍ ମିଳୁଥିଲେ ବି ତାହା ନିମ୍ନ ମାନର ହେବା ଯୋଗୁଁ ବହୁ ବାଇକ ଚାଳକ ଆଇଏସଆଇ ମାର୍କା ହେଲମେଟ କିଣୁଥିବା କହିଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ନୂତନ ଟ୍ରାଫିକ ନିୟମ କାର୍ଯ୍ୟକାରୀକୁ ସ୍ୱାଗତ କରିଛନ୍ତି । ତେବେ ହେଲମେଟ୍ର ମାନ ସମ୍ପର୍କରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସଦାସର୍ବଦା ବାଇକ ଚାଳକ ମାନେ ଆଇଏସଆଇ ମାର୍କା ହେଲମେଟ୍ ବ୍ୟବହାର କରିବା ପାଇଁ ବାଇକ ଚାଳକଙ୍କୁ ସଚେତନ କରାଯାଉଛି ଏବଂ ହେଲମେଟ୍ ଆରୋହୀର ଜୀବନ ରକ୍ଷାକାରୀ ହେଉ ବୋଲି ସେ କହିଛନ୍ତି ।