ଜମୁଛି ୧୦୫ ବର୍ଷର ମିର୍ଜାପୋଖରୀ ଚନ୍ଦନ ଯାତ : ଦୈତାରୀ ପଣ୍ଡାଙ୍କ ନାଟକ ସଂଳାପରେ ଝୁମିଲେ ଦର୍ଶକ
ବାଲେଶ୍ୱର, (ସରୋଜ ପଣ୍ଡା) :-ସହର ସମେତ ବାଲେଶ୍ୱର ଜିଲା ବିଭିନ୍ନ ସ୍ଥାନରେ ଚାଲିଛି ପବିତ୍ର ଚନ୍ଦନ ଯାତ୍ରା । କରୋନା କଟକଣା ଯୋଗୁଁ ୨ବର୍ଷ ଧରି ବନ୍ଦ ରହିଥିବା ସହର ମିର୍ଜା ପୋଖରୀ ଚନ୍ଦନ ଯାତ୍ରା ୧୦୫ବର୍ଷରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ବେଶ ଯାକଜମକରେ ପାଳନ କରାଯାଉଛି । ସହରର ମାଣିଖମ୍ବ, ଗୋପାଳଗାଁ, ସୁଏଲପୁର ସମେତ ଆଖପାଖ ଅଞ୍ଚଳର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଚନ୍ଦନ ଯାତ୍ରା । ପ୍ରତି ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଯୋଗ ଦେଉଛନ୍ତି । ରବିବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ କୁମାର ଦାସ, ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ଶାନ୍ତନୁ ଦାସ, ଯୁବ ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ ଓ ଲକ୍ଷ୍ମୀନାରାୟଣ ମହାନ୍ତି, ୧୬ନଂ ୱାର୍ଡ କାଉନସିଲର ସବିତାରାଣୀ ଦାସ, ପୂର୍ବତନ ପୌରପାଳ ଆଲୋକ ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ଚନ୍ଦନ ଯାତ୍ରା ଶୁଭେଚ୍ଛା ଜଣାଇବା ସହିତ ୧୦୫ବର୍ଷ ଧରି ଏକ ପୁରାତନ ସଂସ୍କୃତି ଏବଂ ପରମ୍ପରାକୁ ଉଜ୍ଜୀବିତ ରଖିବାରେ ଆୟୋଜକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ପୂର୍ବତନ କାଉନସିଲର ଇତିକୃଷ୍ଣା ସ୍ୱାଇଁ, ଛାତ୍ରନେତା ସୀମନ ଦାସମହାପାତ୍ର, ଯୁବନେତା ସୁବୋଧ ମହାନ୍ତି ଓ ଅନସର ଅଲି ପ୍ରମୁଖ ମଞ୍ଚାସୀନ ଥିଲେ । ମୀର୍ଜପୋଖରୀ ଚନ୍ଦନ ଉତ୍ସବ କମିଟିର ସଭାପତି ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ଏଥିରେ ପୌରହିତ୍ୱ କରିଥିବା ବେଳେ ସମ୍ପାଦକ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ । ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନାମଧନ୍ୟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ନିଜର ଅଭିନୀତ ବିଭିନ୍ନ ନାଟକର ସଂଳାପ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଏଥି ସହିତ ଅନୁଷ୍ଠିତ ସଙ୍ଗୀତ ବିଚିତ୍ରା ବା ମେଲୋଡି କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ଚନ୍ଦନ ଯାତ୍ରାରେ ଲାଗିଥିବା ମେଳାରେ ଜିଲା ଓ ଜିଲା ବାହାରୁ ବହୁ ଦୋକାନୀ ଆସି ନିଜର ପସରା ମେଲାଇଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ସହର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ମେଳା ବୁଲିବା ସହ ମନପସନ୍ଦର ଖାଦ୍ୟର ମଜା ନେଉଛନ୍ତି । ପ୍ରତି ସଂଧ୍ୟାରେ ଶୋଭାଯାତ୍ରା ମଧ୍ୟରେ ଶ୍ରୀରାଧାକୃଷ୍ଣ ବିଗ୍ରହଙ୍କୁ ଆକର୍ଷଣୀୟ ବିମାନରେ ଚନ୍ଦନ ମଣ୍ଡପକୁ ଆଗମନ ଓ ପୂଜାର୍ଚ୍ଚନା ପରେ ନାବକେଳି ଅନୁଷ୍ଠିତ ହେଉଛି । ମେଳାରେ ଶାନ୍ତି ଶୃଙ୍ଗଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଚନ୍ଦନ ଉତ୍ସବ କମିଟିର ଉପସଭାପତି, ଗିରିଜା ଶଙ୍କର ଦାସ, ସହକାରୀ ସଭାପତି ଅଶୋକ କୁମାର ତ୍ରିପାଠୀ, ଉପ-ସମ୍ପାଦକ ବୀରେନ୍ଦ୍ର କର, ସହକାରୀ ସମ୍ପାଦକ ରୁଦ୍ରନାରାୟଣ ଦାସ, କୋଷାଧ୍ୟକ୍ଷ ସୌର୍ଯ୍ୟସୁନ୍ଦର ସେନ ପ୍ରମୁଖଙ୍କ ସମେତ କମିଟିର ବହୁ ସଦସ୍ୟ ଚଳିତ ବର୍ଷର ଉତ୍ସବକୁ ପରିଚାଳନା କରୁଛନ୍ତି ।


