ପେସେଞ୍ଜର ଟ୍ରେନ ହଲ୍ଟ ଓ ଗୋଳାପୋଲ ନିର୍ମାଣ ଦାବିରେ ଗଣଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଉପକଣ୍ଠ ବାଙ୍ଗରାଠାରେ ପାସେଞ୍ଜର ଟ୍ରେନ ହଲ୍ଟ ଓ ରେଳ ଫାଟକଠାରେ ଗଳା ପୋଲ ନିର୍ମାଣ ଦାବିରେ ବିଭିନ୍ନ ସଂଗଠନଙ୍କୁ ନେଇ ଗଠିତ ସାମାଜିକ ନ୍ୟାୟ ଅଧିକାର ମଞ୍ଚ ପକ୍ଷରୁ ଗଣଧ।ରଣା ସୋମବାର ଅନୁଷ୍ଠିତ ହୋଇଯାଇଛି । ଯୁବନେତା ବିଧାନ ଚନ୍ଦ୍ର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ଗଣଧାରଣା କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ଓ ଗଣ ସଙ୍ଗଠନର ବହୁ ପ୍ରତିନିଧି ଯୋଗଦେଇ ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତାର ପ୍ରତିବାଦ କରିଥିଲେ । ବିଶେଷ କରି ବାଲେଶ୍ୱର ସହର ଏବେ ସମ୍ପ୍ରସାରଣ ହୋଇ ଚାଲୁଥିବା ବେଳେ ବାଙ୍ଗରା ତଥା ଆଖପାଖ ଅଞ୍ଚଳର ଗୁରୁତ୍ୱ ମଧ୍ୟ ବଢ଼ିବାରେ ଲାଗିଛି ବୋଲି ଧାରଣାକାରୀମାନେ କହିଥିଲେ । ଏହି ଅଞ୍ଚଳରେ ଶିଳ୍ପାୟନର ଅଭିବୃଦ୍ଧି ସାଙ୍ଗକୁ ଏକାଧିକ ସରକାରୀ ଓ ଘରୋଇ ସ୍କୁଲ, ଖ୍ୟାତନାମା ଘରୋଇ ଡାକ୍ତରଖାନା ଆଦି ବଡ଼ବଡ଼ ଅନୁଷ୍ଠାନ ଗଢ଼ି ଉଠିବାରେ ଲାଗିଛି । ଆନୁପାତିକ ଭାବେ ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଛାତ୍ରଛାତ୍ରୀ, ଶ୍ରମିକ, ବୁଦ୍ଧିଜୀବୀ ଓ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଲୋକ ସଦର ମହକୁମାକୁ ଆସିବା ସାଙ୍ଗକ ରୋଗ ଉପସମ ନିମନ୍ତେ କଟକ ଓ ଭୁବନେଶ୍ୱର ଆଦି ସହରକୁ ଯାତାୟତ କରିଥାନ୍ତି । ଯୋଗାଯୋଗର ପ୍ରମୁଖ ମଧ୍ୟମ ରେଳ ବ୍ୟବସ୍ଥାର ଉନ୍ନତି ପାଇଁ ବିଭିନ୍ନ ସମୟରେ ରେଳ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନଠାରେ ଗୁହାରୀ କରାଯାଉଥିଲା । ଏଠାରେ ପାସେଞ୍ଜର ଟ୍ରେନ ରହଣି ପାଇଁ ରେଳ ଷ୍ଟପେଜ (ପାସେଞ୍ଜର ହଲ୍ଟ) ଓ ଯାତାୟତର ସମସ୍ୟାକୁ ଦୃଷ୍ଟିରେ ରଖି ବାଙ୍ଗରା ରେଳ ଫାଟକ ତଳେ ଏକ ଗଳାପୋଲର ନିର୍ମାଣର ନିମନ୍ତେ ଦାବି ହୋଇଆସୁଥିଲା । ମାତ୍ର ରେଳ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସୋମବାର ରେଳ ରୋକ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଜିଲା ପ୍ରଶାସନର ଆମନ୍ତ୍ରଣ କ୍ରମେ ଗତ ୧୧ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଆଲୋଚନା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଦକ୍ଷିଣ-ପୂର୍ବ ରେଳ ଖଣ୍ଡର ପତିନିଧି, ଏସପି, ଉପ-ଜିଲ୍ଲାପାଳ ତହସିଲଦାର ଓ ବାଲେଶ୍ୱର ଷ୍ଟେସନ ପ୍ରବନ୍ଧକ ଯୋଗଦେଇ ବାଙ୍ଗରା ରେଳ ଷ୍ଟେସନର ପ୍ରତିଷ୍ଠା ବାବଦରେ ସର୍ବେକ୍ଷଣ ଶେଷ ହୋଇଥିବା କହିଥିଲେ । ଏମିତିକି ଏନେଇ ଖୁବଶୀଘ୍ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଧିକାରୀମାନେ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ରେଳରୋକ ପରିବର୍ତ୍ତେ ପ୍ରତୀକ ଧାରଣା ଦିଆଯାଇଥିବା ମଞ୍ଚର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ରେଳ ଷ୍ଟେସନ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଥିଲା । ଦାବି ପୂରଣ ନେଇ ଆଗାମୀ ୭ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଧାରଣାକାରୀମାନେ ଚେତାବନୀ ଦେଇଛନ୍ତି ।


