ଏଚପିସିଏଲ ପକ୍ଷରୁ ଫକୀର ମୋହନ ମେଡିକାଲ କଲେଜକୁ ସିଏଲଆଇଏ ଓ ଏ-ସ୍କାନ ମେସିନ ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ) ପକ୍ଷରୁ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲକୁ ରକ୍ତ ପରୀକ୍ଷା ପାଇଁ ଏକ ସିଏଲଆଇଏ ମେସିନ୍ ଓ ଚକ୍ଷୁ ପରୀକ୍ଷା ପାଇଁ ଏ-ସ୍କାନ ମେସିନ ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସର୍ଜରୀ ବିଭାଗରେ ସ୍ଥାପିତ ଏହି ମେସିନ୍‌କୁ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଉଦଘାଟନ କରିଥିଲେ । ଏହା ପରେ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ଯୋଗ ଦେଇ ଏହି ମେସିନ୍ ଦ୍ୱାରା ବାଲେଶ୍ୱର ଜିଲ୍ଲା ସମେତ ଆଖପାଖ ଜିଲ୍ଲା ଓ ପଡୋଶୀ ରାଜ୍ୟର ରୋଗୀମାନେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ, ମେଡିକାଲ କଲେଜ ସୁପରିଟେଣ୍ଡେଂଟ ଡା. ସୁଜାତା ମିଶ୍ର, ଏଚପିସିଏଲ ଡିଜିଏମ ଶ୍ରୀ ପ୍ରବୀର କୁମାର ରାୟ, ବାଲେଶ୍ୱର ମୁଖ୍ୟ ଡିପୋ ମ୍ୟାନେଜର ଶ୍ରୀ ଗୁରୁବଚନ ସିଂହ, ଏଚପିସିଏଲ ବାଲେଶ୍ୱର ଶାଖା ମ୍ୟାନେଜର ଶ୍ରୀ ମୁକେଶ କୁମାର ଏବଂ ୟୁକୋ ବ୍ୟାଙ୍କ କ୍ଷେତ୍ରୀୟ ମୁଖ୍ୟ ଶ୍ରୀ ଦେବବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ସିଏଲଆଇଏ ଓ ଏ-ସ୍କାନ ମେସିନର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ମେଡିକାଲ କଲେଜରେ ଏହି ଭଳି ମେସିନର ଆବଶ୍ୟକତାକୁ ହୃଦୟଙ୍ଗମ କରି ସହଯୋଗର ହାତ ବଢାଇଥିବାରୁ ଏଚପିସିଏଲ କତୃପକ୍ଷଙ୍କୁ ଜିଲ୍ଲାପାଳ ଓ ଉପସ୍ଥିତ ଅଧିକାରୀମାନେ ସାଧୁବାଦ ଜଣାଇବା ସହ ଏହିଭଳି ସହଯୋଗ ଆଗକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ସିଏଲଆଇଏ ମେସିନ ସାହାଯ୍ୟରେ ଏକ ସଙ୍ଗେ ବିଭିନ୍ନ ବର୍ଗର ରକ୍ତ ଓ ଶରୀରରେ ହରମୋନର ମାତ୍ରା ପରୀକ୍ଷା ସ୍ୱଳ୍ପ ସମୟ ମଧ୍ୟରେ କରାଯାଇପାରିବ ବୋଲି ଅଧିକ୍ଷକ ଡାକ୍ତର ମିଶ୍ର ସମସ୍ତଙ୍କୁ ଅବଗତ କରାଇଥିଲେ । ବିଶେଷ କରି ରୋଗର ନିଦାନ ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ଟେଷ୍ଟ ରେଜଲ୍ଟ, ସଠିକ ନିରୂପଣ, ଘଂଟା ପ୍ରତି ୧୮୦ଟି ସ୍ୟାମ୍ପଲ ଟେଷ୍ଟ ପ୍ରଭୃତି ବୈଶିଷ୍ଟ୍ୟତା କାରଣରୁ ସିଏଲଆଇଏ ମେସିନ ବ୍ୟସ୍ତବହୁଳ ବାଲେଶ୍ୱର ମେଡିକାଲ କଲେଜ ହସପିଟାଲ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଥିଲା ବୋଲି ଡାକ୍ତର ମିଶ୍ର କହିଥିଲେ । ସେହିପରି ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁର ସଠିକ ନିଦାନ ପାଇଁ ଅଲଟ୍ରାସାଉଣ୍ଡ ଯୁକ୍ତ ଏ-ସ୍କାନ ମେସିନ ମଧ୍ୟ ବେଶ ଉପାଦେୟ ସାବ୍ୟସ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ ଏଚପିସିଏଲ କତୃପକ୍ଷ ମେସିନ ଦୁଇଟିକୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । ଏଚପିସିଏଲ କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏହି ଦୁଇଟି ମେସିନ ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କମ୍ପାନୀ କତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଏଚପିସିଏଲ ରିଟେଲର ଶ୍ରୀ ଜଗନ୍ନାଥ ସର୍ଭିସ ସେଂଟରର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ମହାନ୍ତି କମ୍ପାନୀର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଓ ଜିଲ୍ଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିବା ବେଳେ ଡିିପିଏମ ଶ୍ରୀ ଅନୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ