ଅଘୋଷିତ ବିଦ୍ୟୁତ କାଟକୁ ନେଇ ଅସନ୍ତୋଷ
ବାଲେଶ୍ୱର, (ସରୋଜ ପଣ୍ଡା) :-ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ବାଲେଶ୍ୱରରେ ବଢ଼ି ଚାଲିଥିବା ଅଘୋଷିତ ବିଦ୍ୟୁତ କାଟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଦିନ ଓ ରାତିରେ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି । ସ୍କୁଲ୍ କଲେଜ୍ରେ ପିଲାଙ୍କ ପାଠପଢ଼ା ସହ ଅଫିସ୍ ଦପ୍ତରରେ କର୍ମଚାରୀମାନେ କାମ କରିବାରେ ବାଧା ସୃଷ୍ଟି ହେଉଛି । ହସପିଟାଲମାନଙ୍କରେ ରୋଗୀ, ପରିବାରରେ ବୟସ୍କ ବ୍ୟକ୍ତି ଏବଂ ଶିଶୁମାନେ ଭୀଷଣ କଷ୍ଟ ପାଉଛନ୍ତି । ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ସଂସ୍ଥା ଅବିରତ ବିଦ୍ୟୁତ୍ସେବା ପ୍ରଦାନ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ଗୁଡ଼ିକ ସଂଶୋଧନ ପରେ କିସ୍ତି ଆକାରରେ ଗ୍ରାହକମାନେ କମ୍ପାନୀକୁ ପଇଠ କରିବେ ବୋଲି ସରକାରଙ୍କ ସହ ରାଜିନାମା ହୋଇଥିବା ବେଳେ ସମ୍ପ୍ରତି ବକେୟା ଆଦାୟ ପାଇଁ କମ୍ପାନୀ ଜୁଲମ୍ କରୁଥିବା ଅଭିଯୋଗ ଉଠିଛି । ବିଦ୍ୟୁତ୍ ବିତରଣ କମ୍ପାନୀ ଗ୍ରାହକମାନଙ୍କୁ ଅବିରତ ବିଦ୍ୟୁତ୍ ସେବା ଯୋଗାଇବାରେ ବିଫଳତାକୁ ବାଲେଶ୍ୱରବାସୀ ଆଉ ଅଧିକ ଦିନ ବରଦାସ୍ତ କରିବେ ନାହିଁ ବୋଲି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସର୍ବଶ୍ରୀ ଅନ୍ତର୍ଯ୍ୟାମୀ ପ୍ରଧାନ, ଲକ୍ଷ୍ମୀଧର ବେହେରା, ଗୌରାଙ୍ଗ ପାଣିଗ୍ରାହୀ, ମନୋଜ ନାୟକ, ସମୀର ବରଣ ଦେ ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ ଚେତାବନୀ ଦେଇଛନ୍ତି ।


