ଗଙ୍ଗଦାହାଟ-ତିରୁଣା ମୁଖ୍ୟରାସ୍ତା ପାଶ୍ୱର୍ରେ ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର ବିଭାଗର ନିଘା ନାହିଁ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକରେ ସୂଚାରୁ ରୂପେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ଟାଟା ପାୱାରକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉକ୍ତ ସଂସ୍ଥା ବିଦ୍ୟୁତ ସେବା ଯୋଗାଇବା ସହ ବିଦ୍ୟୁତ ଉପକରଣର ରକ୍ଷଣାବେକ୍ଷଣାର ଦାୟିତ୍ୱରେ ରହିଅଛି । କିନ୍ତୁ ଏହି ବ୍ଳକରେ ଅନେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ରାସ୍ତା ପାଶ୍ୱର୍ରେ ରହିଥିବା ବେଳେ ତାହା ବର୍ତମାନ ମୁକୁଳା ପଡିଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଗଙ୍ଗଦାହାଟରୁ ତିରୁଣାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ପାଶ୍ୱର୍ରେ ଥିବା ଟ୍ରାନ୍ସଫର୍ମର । ଏହି ଟ୍ରାନ୍ସଫର୍ମରଟି ଉକ୍ତ ରାସ୍ତା ପାଶ୍ୱର୍ର ପାଇକସାହି ନିକଟରେ ରହିଅଛି । ଏହା ମୁକୁଳା ଥିବାରୁ ଧନଜୀବନ ପ୍ରତି ବିପଦ ଥିବା ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି । ଟ୍ରାନ୍ସଫର୍ମରଟି ରାସ୍ତା ଉପରେ ରହିଥିବା ବେଳେ ଚତୁଃପାଶ୍ୱର୍ରେ ବାଡ କିମ୍ବା ପାଚେରୀ ବୁଲାଯାଇନାହିଁ । ସରକାରଙ୍କ ନିୟମାନୁସାରେ ଟ୍ରାନ୍ସଫର୍ମର ଗୁଡିକ ଚତୁଃପାଶ୍ୱର୍ରେ ବାଡ ବୁଲା ଯିବା କଥା । କିନ୍ତୁ ଦୀର୍ଘଦିନ ହେବ ଉକ୍ତ ଟ୍ରାନ୍ସଫର୍ମରଟି ବସିଥିଲେ ମଧ୍ୟ ତାହାର ଚତୁଃପାଶ୍ୱର୍ ଘେରା ଯାଇନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟ୍ରାନ୍ସଫର୍ମରଟି ଜନବସତି ନିକଟରେ ଥିବା ବେଳେ ଏହି ରାସ୍ତା ଦେଇ ଶହ ଶହ ଲୋକ, ଛୋଟ ଛୋଟ ପିଲା ସମେତ ଗୃହପାଳିତ ପଶୁ ମଧ୍ୟ ଯିବା ଆସିବା କରିଥାନ୍ତି । ଅସାବଧାନତା ବଶତଃ କେତେବେଳେ କିଏ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସିଲେ ବିଦ୍ୟୁତ ଆଘାତରେ ଜୀବନ କ୍ଷୟର ସମ୍ଭାବନା ରହିଛି । ତେଣୁ ମୁକୁଳା ଟ୍ରାନ୍ସଫର୍ମର ଟିକୁ ଆବଦ୍ଧ କରିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି ।