ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ବୁଧବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟର ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କୁ ସପ୍ତମ ବେତନ ପ୍ରଦାନ ନାମରେ ଯେଉଁ ନୂତନ ଅନୁଦାନ ନୀତି -୨୦୨୧ ପ୍ରଣୟନ କରାଗଲା ଏବଂ ତାକୁ ଲାଗୁ କରାଯିବା ପାଇଁ ଗତ ୧୩.୦୫.୨୨ରିଖରେ ଯେଉଁ ମୋଡାଲିଟି ବା ପଦ୍ଧତି ନିର୍ଦ୍ଧାରଣ କରାଗଲା ତାହା ଓଡିଶାର ୫୦ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ହତାଶ ଓ ନିରାଶ କରିଛି । ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ନୂତନ ବେତନ ନିର୍ଦ୍ଧାରଣ ନିମନ୍ତେ ଥିବା ସ୍ପଷ୍ଟ ନୀତି (ବେସିକ୍ ପେ ରେ ଗ୍ରେଡ ପେ କୁ ମିଶାଇ ତାର ୨.୫୭ଗୁଣ)କୁ ଏଥିରେ ବାଦ ଦେଇ ସଂପୂର୍ଣ୍ଣ ଭିନ୍ନ ଏବଂ ଅବାସ୍ତବ (ବେସିକ ପେ ସହିତ ୧୪୨ପ୍ରତିଶତ ଡିଏ ମିଶାଇ) ଅବଲମ୍ବନରେ ଦରମା ନିର୍ଦ୍ଧାରଣ ପଦ୍ଧତିକୁ ଗ୍ରହଣ କରାଯାଇଛି । ଏହା ରାଜ୍ୟର ହଜାର ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ କରିବା ସହିତ ସେମାନଙ୍କ ସ୍ୱାଭିମାନ ଓ ପଦମର୍ଯ୍ୟାଦାକୁ ବ୍ୟାହତ କରିବ ବୋଲି ସଙ୍ଘ କହିଛି । ୨୦୧୭ ଅନୁଦାନ ଆଇନ୍‌ରେ ପର୍ଯ୍ୟବେଶିତ ବାର୍ଷିକ ଦରମା ବୃଦ୍ଧି ଯାହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସର୍ବୋଚ୍ଚ ଅଦାଲତରେ ଆଫିଡେଭିଟ କରି ଦାଖଲ କରିଛନ୍ତି ତାହାର ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଥିବା ସଙ୍ଘ କହିଛି । ୨୦୧୭ ଅନୁଦାନ ଆଇନକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କଲାବେଳେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଅନୁଦାନ ଆଇନ ପୁନଃ ପ୍ରଚଳନ କରାଗଲା ବୋଲି ଘୋଷଣା କରିଥିଲେ । ୧.୧.୨୨ରିଖରୁ ସିଧାସଳଖ ଭାବେ ସପ୍ତମ ବେତନ ନଦେଇ ୧.୧.୨୦୧୮ରିଖରୁ ୧.୧.୨୦୨୨ ପର୍ଯ୍ୟନ୍ତ ନୋସନାଲ ଭାବେ ପ୍ରଦାନ କରି ଉଦେଶ୍ୟମୂଳକ ଭାବେ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ନାର୍ଯ୍ୟ ବେତନରୁ ବଞ୍ଚିତ କରାଯାଇଛି ବୋଲି ସଙ୍ଘ ଅଭିଯୋଗ କରିଛି । ଷଷ୍ଠ ବେତନରେ ୬୦ ପ୍ରତିଶତ, ୭୫ପ୍ରତିଶତ ପାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଅନୁପାତ ଭିତ୍ତିକ ଭାବେ ସପ୍ତମ ବେତନ ପ୍ରଦାନର ବ୍ୟବସ୍ଥା, ଯେଉଁ ବିଦ୍ୟାଳୟ ଗୁଡିକ ୧.୧.୨୨ରିଖରେ ଶତ ପ୍ରତିଶତ ଅନୁଦାନ ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ସପ୍ତମ ବେତନରେ ଅନ୍ତର୍ଭୁକ୍ତ କରିବା ଏବଂ ସମସ୍ତ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ନିର୍ଦ୍ଧାରଣର ସର୍ବନିମ୍ନ ଗ୍ରେଡ ପେ ୧୭୦୦ଟଙ୍କା ପ୍ରଦାନ ପ୍ରଭୃତି ଅନେକ କଥା ସରକାର ବିଚାରକୁ ନେଇନଥିବାରୁ ଏହା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ସଙ୍ଘ କହିଛି । ତେଣୁ ସରକାର ଏସମସ୍ତ ବିଷୟ ଗୁଡିକ ସହୃଦୟତାର ସହ ବିଚାର କରି ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଅବିକଳ ସପ୍ତମ ବେତନ ପ୍ରଦାନ କରିବାକୁ ସଙ୍ଘ ଦାବି କରିଛି । ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କୁ ଜିଲ୍ଲା ଓଷ୍ଟାର ସମ୍ପାଦକ ନିର୍ମଳ କୁମାର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଣବ କୁମାର ଜେନା, ଉପସଭାପତି ଅଶୋକ କୁମାର ପରିଡା, ଜିଲ୍ଲା କାର୍ଯ୍ୟକାରିିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ସରୋଜିନୀ ସ୍ୱାଇଁ, ମାର୍ଶାଘାଇ ବ୍ଲକ ସମ୍ପାଦକ ଭଗବାନ ସାହୁ, ଶିକ୍ଷକ ନେତା ସୁରେଶ ଚନ୍ଦ୍ର ସ୍ୱାଇଁ, ଭାଷ୍କର ନାୟକ, ପ୍ରିୟରଞ୍ଜନ ବିଶ୍ୱାଳ, ମିନତୀ ସ୍ୱାଇଁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ