ଲଳିତଗିରିର ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକିର୍ତ୍ତୀକୁ ଧ୍ୱଂସ କରିବାକୁ ସରକାରୀ ଚକ୍ରାନ୍ତ-ଡଃ ଜ୍ଞାନେନ୍ଦ୍ର

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧକିର୍ତ୍ତୀସ୍ଥଳ ଲଳିତଗିରିର ଶୁଖୁଆପଡ଼ା ପାହାଡ଼ରେ ସପ୍ତମ ଶତାବ୍ଦୀର ଅନେକ ବୌଦ୍ଧକିର୍ତ୍ତୀ ରହିଛି । କିନ୍ତୁ ରାଜ୍ୟ ସରକାର ଏହି ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ ପାଇଁ ଓଡ଼ିିଶା ରାଜ୍ୟ ଖଣି ନିଗମକୁ ଲିଜ୍ ସୂତ୍ରରେ ଦେଇ ଓଡ଼ିଶାର ବୌଦ୍ଧକିର୍ତ୍ତୀ ଓ ଐତିହ୍ୟକୁ ନଷ୍ଟ କରିବାର ଏକ ବିଦ୍ଧିବଦ୍ଧ ଚକ୍ରାନ୍ତ କରିଛନ୍ତି ବୋଲି ଭାରତୀୟ ମହାବୋଧି ସମିତିର ରାଷ୍ଟ୍ରୀୟ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗୁରୁତର ଅଭିଯୋଗ କରିଛନ୍ତି । ଭୁବନେଶ୍ୱର କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡଃ ଜ୍ଞାନେନ୍ଦ୍ର କହିଛନ୍ତି ଯେ, ୨୦୦୫ ମସିହାରେ ଯାଜପୁର ଜିଲ୍ଲାପାଳ ଏହି ଶୁଖୁଆପଡ଼ା ପାହାଡ଼ରୁ ମୋରମ ଖନନ ପାଇଁ ଲିଜ୍ ଦେଇଥିଲେ । କିନ୍ତୁ ସେତେବେଳେ ବୌଦ୍ଧଧର୍ମ ପ୍ରତି ପ୍ରତିବଦ୍ଧ ଥିବା ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ବୁଦ୍ଧାୟନ ତରଫରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ଜନହିତ ମାମଲା କରାଯିବା ପରେ ମାନ୍ୟବର କୋର୍ଟ ଏକ ଯୁଗ୍ମ କମିଟି ଗଠନ କରିଥିଲେ ଓ ଯୁଗ୍ମ କମିଟି ତାଙ୍କ ରିପୋର୍ଟରେ ଲିଜ୍ ନ ଦେବା ପାଇଁ ମତପୋଷଣ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଲଳିତଗିରିର ଲଣ୍ଡା ପାହାଡ଼କୁ ଏ.ଏସ୍‌.ଆଇ କର୍ତ୍ତୃପକ୍ଷ ଠିକଣା ଭାବେ ତଦାରଖ କରୁଥିବା ବେଳେ ଶୁଖୁଆପଡ଼ା ପାହାଡ଼ରୁ ବୌଦ୍ଧକିର୍ତ୍ତୀ, ହାତୀଖାଲରୁ ବାହାରିଥିବା ଛଅଗୋଟି ବିରାଟ ବୌଦ୍ଧମୂର୍ତ୍ତି ଏ.ଏସ୍‌.ଆଇ. କର୍ତ୍ତୃପକ୍ଷ ନେଇ ଲଳିତଗିରି ସଂଗ୍ରହାଳୟରେ ରଖିଛନ୍ତି । କିନ୍ତୁ ଏହି ପାହାଡ଼ର ଶୀର୍ଷଦେଶରେ ପାରାଭାଡ଼ି ଅବସ୍ଥିତ ଏହା ଏକ ବିରାଟ ବୌଦ୍ଧସ୍ତୁପ । ଭବିଷ୍ୟତରେ ଏହାର ଖନନ ହେଲେ ଭଗବାନ ବୁଦ୍ଧ ଓ ସାରିପୁତଙ୍କର ରିଲିକ୍ସ ବାହାରିବାର ସମ୍ଭାବନା ଅଛି । ଏଥିସହିତ ଏହି ପାହାଡ଼ରେ ଥିବା ଘଣ୍ଟିଆଶୁଣି ଓ ସାଧୁଗୁମ୍ଫା ଭଳି ସ୍ଥାନଗୁଡ଼ିକରେ ବହୁ ବୌଦ୍ଧକିର୍ତ୍ତୀ ରହିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ କରିବା ନାମରେ ଶୁଖୁଆପଡ଼ା ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ କରିବା ପାଇଁ ରାଜ୍ୟ ଖଣି ନିଗମ ଦ୍ୱାରା ଉନ୍ନତମାନର ମେସିନ୍ ଲଗାଇ ବୌଦ୍ଧ କିର୍ତ୍ତୀରାଜିକୁ ଧ୍ୱଂସ କରିବାକୁ ଯେଉଁ ଚେଷ୍ଟା କରିଛନ୍ତି, ତାହାକୁ କରିବାକୁ ଦିଆଯିବ ନାହିଁ ବୋଲି ଡଃ ଜ୍ଞାନେନ୍ଦ୍ର କହିବା ସହ, ସରକାର ତୁରନ୍ତ ରାଜ୍ୟ ଖଣି ନିଗମକୁ ଦେଇଥିବା ଲିଜ୍‌କୁ ବାତିଲ୍ କରିବା ସହ ପାହାଡ଼ରୁ ପଥର ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଦୃଢ ଦାବି କରିଛନ୍ତି ଓ ରାଜ୍ୟର ସମସ୍ତ ବୌଦ୍ଧଧର୍ମର ଶ୍ରଦ୍ଧାଳୁମାନେ ଏହାର ବିରୋଧ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ