ପରିବହନ ଦର ବୃଦ୍ଧିକୁ ମାନୁନାହାନ୍ତି ୩ ଖଣି ୩୧ରୁ ପରିବହନ ପ୍ରତ୍ୟାହାର କରିବ ମାଟୋଆ
ଯୋଡ଼ା, (ସମୀର କୁମାର ଦାସ) :-ପରିବହନ ଦର ବୃଦ୍ଧିକୁ ୩ଟି ଖଣିରେ କାର୍ଯ୍ୟରତ ଠିକାଦାରମାନେ ମାନୁନାହାନ୍ତି । ଏନେଇ ମାଇନିଙ୍ଗ ଏରିଆ ଟ୍ରକ ୱନର୍ସ ଆସୋସିଏସନ୍ (ମାଟୋଆ) ପକ୍ଷରୁ ରବିବାରଦିନ ମାଟୋଆ କାର୍ଯ୍ୟାଳୟଠାରେ ଗାଡି ମାଲିକଙ୍କୁନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୧ତାରିଖଠାରୁ ସମ୍ପୃକ୍ତ ଖଣିରୁ ପରିବହନରେ ନିୟୋଜିତ ଟ୍ରକଗୁଡିକୁ ସଂଘ ପକ୍ଷରୁ ପ୍ରତ୍ୟାହାର କରି ନିଆଯିବବୋଲି ନିଷ୍ପତ୍ତି ନିଆଯାଇଛି । ଏହାସହ ସଂଘ ବାହାରର ଟ୍ରକ ନିୟୋଜିତ କରାଯାଇ ପରିବହନ ଜାରି ରଖାଗଲେ ଏହାକୁ ବିରୋଧ କରାଯାଇ ପରିବହନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ବୋଲି ସଂଘ ପକ୍ଷରୁ ଦୃଢୋକ୍ତି ପ୍ରଦାନ କରାଯାଇଛି । ପରବହନ ଦର ବୃଦ୍ଧି, ଠିକ୍ ସମୟରେ ପରିବହନ ଅର୍ଥ ପୈଠ ଦାବି ନେଇ ମାଟୋଆ ପକ୍ଷରୁ ପରିବହନ ବନ୍ଦ କରି ଗତ ୧୭ ତାରିଖ ଟିପ୍ପର ଗୁଡିକୁ ପ୍ରତ୍ୟାହାର କରିନେବା ପରେ ଖଣି ମାଲିକମାନେ ଏହି ପରିବହନ ଦରରେ ୮ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବାକୁ ରାଜି ହୋଇଥିଲେ । ଏକ ଉଚ୍ଚ ସ୍ଥ୍ରରୀୟ ବୈଠକ ପରେ ଦେଓଝରସ୍ଥିତ ଡିଆର ପଟ୍ଟନାୟକଙ୍କ ଖଣି, କ୍ରାକର୍ସ ଇଣ୍ଡିଆ ଶିଳ୍ପ, ଟି.ପି. ମହାନ୍ତିଙ୍କ ନଈବୁଗା ଖଣି, ଉଚ୍ଚବାଲିର ଇନ୍ଦ୍ରାଣୀ ପଟ୍ଟନାୟକ ଖଣି, ଜରିବାହାଲସ୍ଥିତ କାଶଭି ଖଣି, ଟାଟା କମ୍ପାନୀଙ୍କ ଅଧିନରେ ଥିବା ବାମେବାରୀ ମାଙ୍ଗାନିଜ ମାଇନ୍ସ, ଜରିବାହାଲ ମାଙ୍ଗାନିଜ ମାଇନ୍ସ, ଗୁରୁଡା ମାଙ୍ଗାନିଜ ମାଇନ୍ସ, ପୁରୁଣାପାଣି ମାଙ୍ଗାନିଜ ମାଇନ୍ସ, ଖଣ୍ଡବନ୍ଧ ମାଙ୍ଗାନିଜ ମାଇନ୍ସ, ଯୋଡା ୱେଷ୍ଟ ମାଙ୍ଗାନିଜ ମାଇନ୍ସ ଗୁଡିକରେ ଏହି ୮ ପ୍ରତିଶତ ଦରକୁ ଗ୍ରହଣ କରାଯାଇଥିବା ବେଳେ ସର୍ବବୃହତ୍ତ ଖଣି ସଂସ୍ଥା ଜେଏସ୍ଡବ୍ଲୁଙ୍କ ଜଜାଙ୍ଗସ୍ଥିତ ଖଣିରୁ ଏହି ପରିବହନ ଦର ବୃଦ୍ଧି ନିମନ୍ତେ ୧୫ ଦିନ ମହଲତ କମ୍ପାନୀ ପକ୍ଷରୁ ମଗାଯାଇଥିଲା । ତେବେ ତାଙ୍କର ପରିବହନ ଜାରି ରହିବା ସହ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ଦର ପିଛଲା ତାରିଖ ୧୩ ତାରିଖ ଠାରୁ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ତାହା ମଙ୍ଗଳବାରଦିନ ଧାର୍ଯ୍ୟ ହେବବୋଲି କମ୍ପାନୀ ରାଜି ହୋଇଛି । ତେବେ କେତେକ ପରିବହନ ଠିକାଦାର ଏହି ଦର ବୃଦ୍ଧିକୁ ମାନୁନଥିବା ଜଣାପଡିଛି । ସେଗୁଡିକ ମଧ୍ୟରେ ଜଜାଙ୍ଗ ସ୍ଥିତ ଆପାହାତୁ ଖଣିରେ ବାବା ଧବଳେଶ୍ୱର ମୁଭର୍ସ ଏବଂ ଇଗଲ ଟ୍ରାନ୍ସପୋର୍ଟ, ତିରିଙ୍ଗ ପାହାଡ ଖଣିରେ ସିୱାଇଏମ୍ଇ ଲଜିଷ୍ଟିକ, ତୁଳସୀ ଟ୍ରାନ୍ସପୋର୍ଟ, ୟୁନାଇଟେଡ କ୍ୟାପିଟାଲ, ସିମୀ ଲଜିଷ୍ଟିକ ଓ ସେହିପରି ଶ୍ରୀମେଟାଲିକ୍ସ ଖଣିରେ ଆଣ୍ଡଲ ଲଜିଷ୍ଟିକ ନାମକ ଠିକା ସଂସ୍ଥା ଏହି ଦର ବୃଦ୍ଧିକୁ ଗ୍ରହଣ କରିବାକୁ ରାଜି ନଥିବା ବେଳେ ସଂଘ ଉକ୍ତ ଖଣି ଗୁଡିକରୁ ପରିବହନ କାର୍ଯ୍ୟରୁ ଟ୍ରକ ଗୁଡିକୁ ପ୍ରତ୍ୟାହାର କରିନେଇଛି । ଆପାହାତୁ ଓ ତିରିଙ୍ଗ ପାହାଡ ଖଣି ୨ଟି ଓଏମସି ଅଧିନରେ ଥିବାବେଳେ ଶ୍ରୀମେଟାଲିକ ଖଣିଟିରେ ତ୍ରିବେଣୀ ଆର୍ଥ ମୁଭର୍ସ କାର୍ଯ୍ୟ କରିଥାଏ । ତେବେ ସମ୍ପୃକ୍ତ ପରିବହନ ଠିକାଦାରମାନେ ସଂଘ ବାହାରୁ ଟ୍ରକ ଆଣି ନିଜର ପରିବହନ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ବୋଲି ଜଣାପଡିଛି । ଫଳରେ ଟ୍ରକ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଖଣି ଅଞ୍ଚଳର ଟ୍ରକ ଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ ପରିବହନ କାର୍ଯ୍ୟ ମିଳୁନଥିବା ବେଳେ ସମ୍ପୃକ୍ତ ଠିକାଦାରମାନଙ୍କର ଏହି ସ୍ୱେଚ୍ଛାଚାରିତା ନୀତିକୁ ଟିପ୍ପର ମାଲିକ ସଂଘ ତୀବ୍ର ନିନ୍ଦା କରିବା ସହ ଆଗାମୀ ଦିନରେ ସେମାନଙ୍କର ପରିବହନ କାର୍ଯ୍ୟକୁ ମଧ୍ୟ ବନ୍ଦ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି । ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ମାଟୋଆ ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଚଳିତମାସ ୧୩ ତାରିଖ ଠାରୁ ଖଣି ଗୁଡିକରୁ ପରିବହନ ବନ୍ଦ ଡାକରା ଦିଆଯାଇଥିଲା । ମାଟୋଆ ଅଧିନରେ ୧ ହାଜରରୁ ଉର୍ଦ୍ଧ୍ୱ ହାଇୱା ପ୍ରାୟ ୩ ହଜାର ଟିପ୍ପର ପଞ୍ଜିକୃତ ହୋଇଥିବା ବେଳେ ଏହି ବନ୍ଦ ଡାକରାରେ ୪ହଜାରରୁ ଉର୍ଦ୍ଧ୍ୱ ଟ୍ରକ ବିଭିନ୍ନ ଖଣିରୁ ପରିବହନକୁ ପ୍ରତ୍ୟାହାର କରିନେଇଥିବା ଦେଖିବାକୁ ମିଳିଥିଲା । ଫଳରେ ଖଣି ଅଞ୍ଚଳରେ ଏକ ଅଚଳା ଅବସ୍ଥା ଦେଖାଦେଇଥିଲା । ବର୍ତ୍ତମାନ ସମୟରେ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ଛୁଇଁଥିବା ବେଳେ ଡିଜେଲ ଦର ୯୦ ଟଙ୍କା ଥିବା ବେଳେ ଟନ ପ୍ରତି ଯେଉଁ ପରିବହନ ଦର ଧାର୍ଯ୍ୟ କରାଯାଇଥିଲା, ତାହାହିଁ ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଛି । ତେଣୁ ବାରମ୍ବାର ଟିପ୍ପର ମାଲିକ ସଂଘ ପକ୍ଷରୁ ଖଣି ମାଲିକମାନଙ୍କୁ ଏହି ଭଡା ବୃଦ୍ଧି କରିବାକୁ ଦାବି କରାଯାଉଥିଲେ ମଧ୍ୟ ଖଣି ମାଲିକମାନେ ଏଥିପ୍ରତି କର୍ଣ୍ଣପାତ କରୁନଥିଲେ । ସେହିପରି ସଠିକ୍ ସମୟରେ ଟିପ୍ପର ମାଲିକମାନଙ୍କର ପରିବହନ ପ୍ରାପ୍ୟ ପ୍ରଦାନ କରାଯାଉନଥିବା ବେଳେ ଟିପ୍ପର ମାଲିକମାନେ ବିଭିନ୍ନ ଆର୍ଥôକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ଏପରିସ୍ଥଳେ କେତେକ ଖଣି ମାଲିକ ବାହାର ରାଜ୍ୟର ଟିପ୍ପର ଆଣି ନିଜର ପରିବହନ କାର୍ଯ୍ୟ ଚଳାଇଆସୁଥିବା ବେଳେ ଯୋଡା ଟିପ୍ପର ମାଲିକମାନେ କାମଧନ୍ଦା ନପାଇ ମୁଣ୍ଡରେ ହାତଦେଇ ବସିଛନ୍ତି । ଡିଜେଲ ଦର ବୃଦ୍ଧି ସାଙ୍ଗକୁ ଟିପ୍ପର ଯନ୍ତ୍ରାଂଶ, ଟାୟାର. ମରାମତି ଖର୍ଚ୍ଚ ଭଳି ଆନୁସଙ୍ଗିକ ଖର୍ଚ୍ଚର୍ର ଅହେତୁକ ମୂଲ୍ୟ ବୃଦ୍ଧି ସତ୍ୱେ ପରିବହନ ଭଡାର ମୂଲ୍ୟ ବୃଦ୍ଧି କରାଯାଉନାହିଁ । ଫଳରେ ଟିପ୍ପର ମାଲିକମାନେ ନିଜର ଗୁଜୁରାଣ ମେଣ୍ଟାଇବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି । ଟିପ୍ପର ମାଲିକମାନେ ଦିନକୁ ଦିନ ଏହି ବ୍ୟବସାୟରେ ବିଫଳ ହେବା ପରେ ଦୈନିକ ମାଳ ମାଳ ଟିପ୍ପର କଟା ଯାଇ ସ୍କ୍ରାପ ଦରରେ ଓଜନରେ କାବାଡିଆକୁ ସାଗ ମାଛ ଦରରେ ବିକ୍ରି କରିଦିଆଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ସଂଘ ପକ୍ଷରୁ ପୂର୍ବରୁ ତିନି ତିନି ଥର ଖଣି ମାଲିକମାନଙ୍କୁ ଭଡା ବୃଦ୍ଧି ପାଇଁ ସୂଚିତ କରାଯାଇଥିଲେ ମଧ୍ୟ ଖଣି ମାଲିକମାନେ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ।


