“ପିଏମ କେୟାର୍ସ ଫର୍ ଚିଲଡ୍ରେନ” ଯୋଜନାରେ ବାଲେଶ୍ୱର ଜିଲ୍ଲାର ୩ଜଣ ପିଲା ସାମିଲ
ବାଲେଶ୍ୱର, (ସରୋଜ ପଣ୍ଡା) :-କୋଭିଡ୍ ମହାମାରୀ ସମୟରେ କୋଭିଡ୍ ସଂକ୍ରମଣରେ ଉଭୟ ପିତାମାତାଙ୍କୁ ହରାଇ ପିତୃମାତୃହୀନ ହୋଇଥିବା ସମଗ୍ର ଦେଶର ପିଲାମାନଙ୍କ ପ୍ରତିପାଳନ, ସୁରକ୍ଷା ଓ ଶିକ୍ଷା ଦ୍ୱାରା ସେମାନଙ୍କର ଉପଯୁକ୍ତ ଥଇଥାନ ନିମନ୍ତେ “ପିଏମ କେୟାର୍ସ ଫର ଚିଲଡ୍ରେନ” ଯୋଜନାରେ ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏଭଳି ପିଲାମାନଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି । ପ୍ରତି ପିଲାଙ୍କୁ ୧୮ବର୍ଷ ବୟସ ହେବା ପରେ ୧୦ଲକ୍ଷ ଟଙ୍କା ଆର୍ଥିକ ସହାୟତା, ଚିକିତ୍ସା ନିମନ୍ତେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ମାସିକ ପ୍ରତିପୋଷଣ ଖର୍ଚ୍ଚ ୩ବର୍ଷ ପର୍ଯ୍ୟନ୍ତ ୪ହଜାର ଟଙ୍କା ଲେଖାଏଁ, ଶିକ୍ଷା ନିମନ୍ତେ ବାର୍ଷିକ ଷ୍ଟାଇପେଣ୍ଡ ୨୦ହଜାର ଟଙ୍କା ଏବଂ ଉଚ୍ଚଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ନିମନ୍ତେ ଋଣ ସହାୟତା ଇତ୍ୟାଦି ଏହି ଯୋଜନାର ମୁଖ୍ୟ ଅଂଶବିଶେଷ ଅଟେ । ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଭାଗରୁ ଆଭାସୀରେ ଯୋଡି ହୋଇ ଥିବା ପିଲା ଓ ସେମାନଙ୍କ ଅଭିଭାବକମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଅଟେ । ସେମାନଙ୍କର ଉପଯୁକ୍ତ ଥଇଥାନ, ସ୍ନେହ, ଆଦର ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ସେମାନଙ୍କର ଅଭିଭାବକ, ସରକାରୀ କର୍ମକର୍ତା ଏବଂ ସର୍ବୋପରି ସରକାର ସମ୍ବେଦ ନଶୀଳ ହୋଇ ଉଚିତ୍ ପଦକ୍ଷେପ ନେଲେ ସେମାନେ ବଡ ବଡ ଆହ୍ୱାନର ମୁକାବିଲା କରିପାରିବା ସହିତ ଆଗାମୀ ଦିନରେ ଦେଶର ଉତମ ନାଗରିକ ଭାବେ ଗଢି ଉଠିବେ । ସ୍ଥାନୀୟ ଏନଆଇସି କାର୍ଯ୍ୟାଳୟ ଭିଡିଓ କନଫରେନ୍ସିଂ ହଲରେ ଅନୁଷ୍ଠିତ ଏହି ଆଭାସୀ କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଯୋଗ ଦେଇ ଏହି ଯୋଜନାରେ ସାମିଲ ଜିଲ୍ଲାର ୩ ପିଲାଙ୍କୁ ପିଏମ କେୟାର୍ସ ପାସବୁକ୍, ସାର୍ଟିଫିକେଟ୍, ସ୍ୱାସ୍ଥ୍ୟବୀମା କାର୍ଡ, ସହାୟତା କିଟ୍ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ତା ପ୍ରଦାନ କରିବା ସହିତ ସେମାନଙ୍କ ଉତରୋତର ଉନ୍ନତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭବେଶ କୁମାର ନାୟକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ଭାଗିରଥୀ ବାରିକ୍ଙ୍କ ସମେତ କମିଟି ସଦସ୍ୟ ଶ୍ରୀ ଗଣେଶ୍ୱର ରାଉତ, ଶ୍ରୀମତୀ ଗୌରୀରାଣୀ ଉପାଧ୍ୟାୟ, ଶ୍ରୀ ଆଶିଷ କୁମାର ଘୋଷ, ଜୁଭେନାଇଲ ଜଷ୍ଟିସ୍ ବୋର୍ଡ ସଦସ୍ୟା ଶ୍ରୀମତୀ ଉଷାରାଣୀ ପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଯୁବକ ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


